ଭୁୁବନେଶ୍ୱର: ଦ୍ୱୈତନଗରୀରର ପୋଲିସ କମିଶନର ଭବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା । କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସଞ୍ଜୀବ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ବର୍ତମାନ ପୋଲିସ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ନୂଆ କମିଶନରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
ସୋମବାର ସକାଳେ ପୋଲିସ କାର୍ଯ୍ୟାଳୟରେ ପହଂଚିଥିଲେ ସଞ୍ଜୀବ ପଣ୍ଡା । ସେଠାରେ ଔପଚାରିକତା ପୂରଣ ପରେ ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ତାଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଛି । ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ କମିଶନରଙ୍କୁ କଟକ-ଭୁବନେଶ୍ୱର ପୋଲିସ ଅଧିକାରୀ ଭେଟିଛନ୍ତି । ରାଜଧାନୀରେ ଅପରାଧ ନିୟନ୍ତ୍ରଣ ବଡ ଚ୍ୟାଲେଞ୍ଜ ରହିବ । କାରଣ ରାଜଧାନୀରେ ଦିନକୁ ଦିନ ଚୋର ଲୁଟପାଟ୍ ବଢିବାରେ ଲାଗିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଜାନୁଆରୀ ୨୪ ତାରିଖରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଥିଲେ । ଏଥିରେ ୧୮ ଆଇପିଏସ ଅଧିକାରୀଙ୍କ ବିଭିନ୍ନ ପଦରେ ବଦଳି କରାଯାଇଥିଲା । କଟକ ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି । ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପୁରୀ ଏସପି ବିଶାଳ କନୱର ସିଂଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି ।