ମହାମେଂଟରୁ ନୀତୀଶ ଅଲଗା ହେବା ପରେ ଲାଲୁଙ୍କ ବିରୋଧରେ ଆକ୍ସନ, ଇଡି ଦପ୍ତରରେ ଚାଲିଛି ଜେରା


ପାଟନା: ବିହାରରେ ମହାମେଂଟରୁ ଅଲଗା ହୋଇ ଏନଡିଏ ସହ ମିଶି ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବା ମାତ୍ରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡ ଫର ଜବ ଅର୍ଥାତ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପାଟନା ସ୍ଥିତ ପ୍ରବର୍ତନ ନିର୍ଦ୍ଦେଶାଳୟରେ ଜେରା କରାଯାଉଛି । ଲାଲୁ ଯାଦବ ଝିଅ ମୀସା ଭାରତୀଙ୍କ ସହ ଇଡି ଦପ୍ତର ପହଂଚିଛନ୍ତି । ଏଠାରେ ଆରଜେଡି କାର୍ଯ୍ୟକର୍ତାଙ୍କ ଭିଡ ଲାଗି ରହିଛି । ଏହି ସମୟରେ ଲାଲୁଙ୍କ ଘରୁ ଖାଦ୍ୟ ପଦାର୍ଥ ଓ ଔଷଧ ପହଂଚା ଯାଇଛି । ଉଲ୍ଲେଖନୀୟ ଆଜି ସକାଳେ ଇଡି ଟିମ୍ ପାଟନା ପହଂଚିଛି ।

ବିଗତ ତାରିଖଗୁଡିକରେ ଉପସ୍ଥିତ ନ ହେବା କାରଣରୁ ଇଡି ଲାଲୁଙ୍କୁ ଜାନୁଆରୀ ୧୯ ତାରିଖରେ ସମନ ଜାରି କରିଥିଲା । ତେବେ ଆଜି ଲାଲୁ ନିଜ ବଡ ଝିଅ ତଥା ରାଜ୍ୟସଭା ସାଂସଦ ମୀସା ଭାରତୀଙ୍କ ସହିତ ପୂର୍ବାହ୍ଣ ୧୧ଟାରେ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ଆରଜେଡି ସମର୍ଥକ ଓ ନେତାମାନେ ଇଡି କାର୍ଯ୍ୟାଳୟର ଗେଟ୍ ବାହାରେ ରୁଣ୍ଡ ହୋଇଥିଲେ ।

ଏହା ପୂର୍ବରୁ ଡିସେମ୍ବର ୨୩ ତାରିଖରେ ଇଡି ବିହାରର ତତ୍କାଳୀନ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସମନ ଜାରି କରିଥିଲେ । ଲାଲୁଙ୍କ ବିରୋଧରେ ଆକ୍ସନକୁ ନେଇ ଏବେ ବିହାର ରାଜନୀତି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଉଲ୍ଲେଖନୀୟ ଜେଡିୟୁ ଓ ଆରଜେଡି ମହାମେଂଟରେ ରହି ୧୮ ମାସ ସରକାର ଗଢିଥିଲେ । ତେବେ ନୀତୀଶ ଗତକାଲି ସକାଳେ ଇସ୍ତଫା ଦେଇ ସନ୍ଧ୍ୟାରେ ଏନଡିଏ ସହ ମିଶି ସରକାର ଗଢିଛନ୍ତି ।