ଶାଶୁ ମେକଅପ୍ ସାମଗ୍ରୀ ବ୍ୟବହାର କରିବାରୁ ଛାଡପତ୍ର ଦାବି କଲା ବୋହୂ


ଆଗ୍ରା: ଉତର ପ୍ରଦେଶର ଆଗ୍ରାରେ ଶାଶୁ-ବୋହୂ ମଧ୍ୟରେ ଝଗଡାର ଏକ ଅଜବ ମାମଲା ସାମ୍ନାକୁ ଆସିଛି । କ୍ରିମ, ପାଉଡରକୁ ନେଇ ହୋଇଥିବା ଏହି ବିବାଦ ବିଷୟରେ ଯିଏ ବି ଶୁଣିବ ସେ ବି ମୁଣ୍ଡରେ ହାତ ଦେବ । ମେକଅପ କାରଣରୁ ସଂପର୍କରେ ଏମିତି ଫାଟ ସୃଷ୍ଟି ହୋଇଛି ଯେ, କଥା ଛାଡପତ୍ର ପର୍ଯ୍ୟନ୍ତ ଗଲାଣି । ମୋ ମେକଅପ୍ ସାମଗ୍ରୀ ଶାଶୁ କାହିଁକି ବ୍ୟବହାର କରିବ ଏହାକୁ ନେଇ ଛାଡପତ୍ର ଦାବି କରିଛି ବୋହୂ ।

ଏହି ଘଟଣା ଆଗ୍ରାର ମଲପୁରା ଥାନା ଅଂଚଳର । ୮ ମାସ ପୂର୍ବେ ଏଠାରେ ଦୁଇ ଭଉଣୀଙ୍କ ବିବାହ ଫତେହାବାଦ ଥାନାରେ ଦୁଇ ଭାଇଙ୍କ ସହ ହୋଇଥିଲା। ଏଥିରୁ ଛୋଟ ଭାଇ ଜୋତା ଫ୍ୟାକ୍ଟ୍‌ିରେ କାମ କରୁଥିବା ବେଳେ ବଡ ଭାଇ ଟାଇଲ୍ସ ଲଗାଇବା କାମ କରନ୍ତି । ବିବାହ ପରେ ସବୁ କିଛି ଠିକ୍ ଚାଲିଥିଲା । ମାତ୍ର କିଛି ତଳେ ଏମିତି ବିବାଦ ସୃଷ୍ଟି ହେଲା, ଯାହାର ଚର୍ଚ୍ଚା ସମଗ୍ର ଜିଲ୍ଲାରେ ହେଉଛି ।

ମାମଲା ପରିବାର ପରାମର୍ଶ କେନ୍ଦ୍ର ପହଂଚିବାରୁ ଏଠାରେ ବୋହୂ କହୁଛି, ଶାଶୁ ମୋର ମେକଅପ କ୍ରିମ ଚୋରି କରୁଛି । ଆଉ ମୋ କ୍ରିମ ଲଗାଇ ଶାଶୁ ସଜେଇ ହୋଇ ଘରେ ବୁଲୁଛି । ଘରେ ରହିବା ସମୟରେ ମହଙ୍ଗା କ୍ରିମ କାହିଁକି ଲଗାଉଛ କହିବାରୁ ଶାଶୁ କ୍ଷୁବ୍ଧ । ଶାଶୁଙ୍କ କହିବା କଥା, ସେ ବାହାଘର ସମାରୋହକୁ ଗଲେ ହିଁ ବୋହୁର ମେକଅପ ସାମଗ୍ରୀ ବ୍ୟବହାର କରିଥାଏ । ବୋହୂ ଏତେ ରାଗି ଯାଇଛନ୍ତି ଯେ, ବିବାଦ ସମାଧାନ ହେବା ପରିବର୍ତେ ବଢିବାରେ ଲାଗିଛି । ବୋହୂକୁ ରୋକଠୋକ୍ ଶୁଣାଇବା ପରେ ଶାଶୂ ନିଜ ପୁଅକୁ ଏହି ବିଷୟରେ ଜଣାଇଛି ।

ଏହା ଉପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ବଢିବାରେ ଲାଗିଲା । କଥା ଏତେ ବାଟ ଗଲା ଯେ, ସ୍ୱାମୀ ଓ ଶାଶୂ ମିଶି ବୋହୂକୁ ଦୁଇ ମାସ ଘରୁ ବାହାର କରି ଦେଲେ । ଆଉ ଏହି ଦୁଇ ମାସ ବୋହୂ ଜଣକ ନିଜ ବାପ ଘରେ ରହୁଛନ୍ତି । ରବିବାର ଦୁଇ ପରିବାର ମଧ୍ୟରେ ଅଧିକାରୀ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ସଫଳ ହୋଇ ନାହିଁ । ପତ୍ନୀ ପତି ସହ ଘରକୁ ଯିବାକୁ ମନା କରି ଦେଇଥିଲେ । ପତ୍ନୀ ଏବେ ଛାଡପତ୍ର ଦାବି କରୁଛନ୍ତି ।

ଏହି ମାମଲାରେ ପରିବାର ପରାମର୍ଶ କେନ୍ଦ୍ରର କାଉନସିଲର ଡ. ଅମିତ୍ ଗୌଡ କହିଛନ୍ତି, ସ୍ୱାମୀ-ସ୍ତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରାଯାଉଛି, ମାତ୍ର କଥା ଆଗକୁ ବଢୁନି । ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ପରବର୍ତୀ ତାରିଖ ଧାର୍ଯ୍ୟ କରାଯାଇଛି ।