ଆରବ ସାଗରରେ ନୌସେନାର ପରାକ୍ରମ, ଲୁଟେରାଙ୍କ କବଳରୁ ବଂଚାଇଲେ ୧୯ ପାକିସ୍ତାନୀ, ଗୋଟିଏ ଦିନରେ ୨ୟ ସଫଳତା


ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ ପୁଣି ଥରେ ଦେଖିବାକୁ ମିଳିଛି । ଭାରତୀୟ ନୌସେନା ଗତ ୨୪ ଘଂଟାରେ ଆରବ ସାଗରରେ ଦୁଇ ଜାହାଜକୁ ଲୁଟେରାଙ୍କ କବଳରୁ ଉଦ୍ଧାର କରିଛନ୍ତି । କେବଳ ଏତିକି ନୁହେଁ ନୌସେନା ଗୋଟିଏ ଜାହାଜରୁ ୧୯ ପାକିସ୍ତାନୀ ଓ ଅନ୍ୟ ଇରାନୀ ଜାହାଜରୁ ୧୭ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି ।

ଭାରତୀୟ ନୌସେନା ଜାନୁଆରୀ ୨୮ ଓ ୨୯ ତାରିଖରେ ଆରବ ସାଗରରେ ଦୁଇ ଜାହାଜକୁ ହାଇଜ୍ୟାକ ହେବାରୁ ରକ୍ଷା କରିଛନ୍ତି । ପିଟିଆଇ ଅନୁଯାୟୀ, ନେଭି ଯୁଦ୍ଧଜାହାଜ ଆଇଏନଏସ ସୁମିତ୍ରା ରବିବାର ପ୍ରଥମେ ଇରାନର ଜାହାଜ ଏଫବି ଇରାନକୁ ଅପହରଣ ହେବାରୁ ରକ୍ଷା କରିଥିଲେ । ଏହା ପରେ ଆରବ ସାଗରରେ ସ୍ପେଶାଲ ଅପରେସନ ଚଲାଇ ଅଲ ନଇମ ନାମକ ଜାହାଜକୁ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛନ୍ତି । ଏହି ଅପରେସନର ଭାରତର ମେରିନ କମାଣ୍ଡୋ ସାମିଲ୍ ଥିଲେ ।

ପ୍ରଥମ ଥର ଭାରତୀୟ ନୌସେନା ସୋମାଲିଆ ସମୁଦ୍ରୀ ଜଳଦସ୍ୟୁଙ୍କୁ ନିଶାଣ କରି ମତ୍ସ୍ୟଜୀବୀଙ୍କୁ ବଂଚାଇ ନାହାନ୍ତି । ଏହା ପୂର୍ବରୁ ଜାନୁଆରୀ ୫ ତାରିଖରେ ଆଇଏନଏସ ଚେନ୍ନାଇ ସୋମାଲିଆ ତଟରୁ ଏକ ଜାହାଜ ଚାଳକ ଦଳକୁ ସଫଳତାପୂର୍ବକ ଉଦ୍ଧାର କରିଥିଲା । ଏଥିରେ ବସିଥିବା ସମସ୍ତ ୧୫ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା ।

ସୂଚନାଯୋଗ୍ୟ, ନିକଟରେ ଭାରତୀୟ ନୌସେନା ଲଗାତାର ଜଳଦସ୍ୟୁଙ୍କ ହମଲାକୁ ପ୍ରତିହତ କରିବା ପାଇଁ ଆରବ ସାଗରରେ ନିଜର ଅଭିଯାନ ଜୋରଦାର କରିଛି । ଚଳିତ ସପ୍ତାହରେ ନୌସେନା ଉତର ଓ ମଧ୍ୟ ଆରବ ସାଗରରେ ମାଛ ଧରୁଥିବା ଜାହାଜ ଓ ଅନ୍ୟଜାହାଜକୁ ବ୍ୟାପକ ଭାବେ ତଲାସି ନେଇଥିଲା । ଇସ୍ରାଏଲ-ହମାସ ସଂଘର୍ଷ ମଧ୍ୟରେ ଲାଲ ସାଗରରେ ବ୍ୟବସାୟୀଙ୍କ ଜାହାଜ ଉପରେ ଆତଙ୍କବାଦୀଙ୍କ ବଢିଥିବା ଆକ୍ରମଣ କାରଣରୁ ନୌନେନା ନିରଜ ସତର୍କତା ବଢାଇଛି ।