ଅଲପୁଝା: କେରଳ ଏକ ଅଦାଲତ ବିଜେପି ନେତାଙ୍କ ହତ୍ୟା ମାମଲାରେ ପିଏଫଆଇ ସହ ଜଡିତ ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୧ ଡିସେମ୍ବରରେ ଅଲପୁଝା ଜିଲ୍ଲାରେ ବିଜେପିର ଅନ୍ୟ ପଛୁଆ ବର୍ଗ(ଓବିସି) ଶାଖାର ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟାକାଣ୍ଡ ଘଟିଥିଲା । ଏହି କେସରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ମାଭେଲିକ୍କାରା ଭି.ଜି. ଶ୍ରୀଦେବୀ ମଙ୍ଗଳବାର ଦୋଷୀଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପୀଡିତ ପକ୍ଷ ଦୋଷୀଙ୍କ ପାଇଁ ସର୍ବାଧିକ ଦଣ୍ଡ ଦେବାକୁ ଅପିଲ କରିଥିଲେ । ବିଜେପି ନେତାଙ୍କୁ ତାଙ୍କ ମାଆ, ପିଲା ଓ ପତ୍ନୀଙ୍କ ସାମ୍ନାରେ ହତ୍ୟା କରାଯାଇଥିଲା ।
ଋିପୋର୍ଟ ଅନୁଯାୟୀ, ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କୁ ୨୦୨୧ ଡିସେମ୍ବର ୧୯ ତାରିଖରେ ତାଙ୍କ ପରିବାର ସାମ୍ନାରେ ନିର୍ମମ ହତ୍ୟା କରାଯାଇଥିଲା । ଜାନୁଆରୀ ୨୦ରେ ଅଦାଲତ ସମସ୍ତ ୧୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଜାନୁଆରୀ ୩୦ ଯାଏ ରାୟ ସଂରକ୍ଷିତ ରଖିଥିଲେ । ୧୫ରୁ ୮ ଅଭିଯୁକ୍ତ ସିଧାସଳଖ ହତ୍ୟାକାଣ୍ଡରେ ସାମିଲ୍ ଥିଲେ । ଅବଶିଷ୍ଟ ହତିଆର ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏହି ଘଟଣାରେ ପିଏଫଆଇ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଯାଇଛି ।
ଅଦାଲତ ନିଷ୍ପତିରେ ଅଭିଯୁକ୍ତଙ୍କୁ ସର୍ବାଧିକ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନ ଦେଇଥିଲେ । ଆଉ ଆଜି ରାୟ ପ୍ରକାଶ କରି ଅଦାଲତ ସମସ୍ତ ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ବିଜେପି କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଏବଂ ଆଶା କରିଛନ୍ତି ପାର୍ଟିର ଦିବଙ୍ଗତ ନେତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବ । ବିଜେପି ନେତାଙ୍କ ହତ୍ୟାର କିଛି ଘଂଟା ପୂର୍ବରୁ ୨୦୨୧ ଡିସେମ୍ବର ୧୮ ରାତିରେ ଏସଡିପିଆଇ ନେତା କେ.ଏସ ଶାନଙ୍କ ହତ୍ୟା କରିଥିଲେ ।