ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ, ରାମ ମନ୍ଦିର ଆକାଂକ୍ଷା ପୂରଣ; ୩୭୦ ଏବେ ପାଲଟିଛି ଇତିହାସ


ନୂଆଦିଲ୍ଲୀ: ଆଜିଠୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ଉଭୟ ଗୃହକୁ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ନୂଆ ସଂସଦ ଭବନରେ ମୋର ଏହା ପ୍ରଥମ ଅଭିଭାଷଣ । ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି । ୩ ତଲାକ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିକୁ ଓଡିଆରେ କହି କହିଛନ୍ତି ମିଶୁ ମୋର ଦେହ ଏ ଦେଶ ମାଟିରେ… ପରେ ପରେ ହିନ୍ଦୀରେ ଅନୁବାଦ କରିଛନ୍ତି ।

ଋାଷ୍ଟ୍ରପତି ମୁର୍ମୁ କହିଛନ୍ତି, ସରକାର ୱାନ ରାଙ୍କ, ୱାନ ପେନସନ ଲାଗୁ କଲେ । କେନ୍ଦ୍ର ସରକାରଙ୍କ ପ୍ରୟାସରେ ୨୫ କୋଟି ଦେଶବାସୀ ଗରିବୀରୁ ବାହାରକୁ ବାହାରିଛନ୍ତି । ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଛନ୍ତି । ୮ କୋଟି ଲୋକ ଆଇଟିଆର ଦାଖଲ କରୁଛନ୍ତି । ଆଜି ଭାରତର ଅର୍ଥବ୍ୟବସ୍ଥା ଶ୍ରେଷ୍ଠ ୫ରେ । ପୂର୍ବ ତୁଳନାରେ ଏଫଡିଆଇ ଦୁଇ ଗୁଣା ହୋଇଛି । ଭୁଶୁଡି ପଡିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠୁ ଶକ୍ତିଶାଳୀ । ଭାରତ ବିଶ୍ୱର ସବୁଠୁ ବଡ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର । ଆଜି ୨ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ ବ୍ୟବସ୍ଥା କାମ କରୁଛି । ମେକ୍ ଇନ ଇଣ୍ଡିଆ ସବୁଠୁ ବଡ ଅଭିଯାନ ପାଲଟିଛି । ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ଲଗାତାର ସୁଧାର ଆସୁଛି । ଏମଏସଏମଇ ପରିଭାଷା ବିସ୍ତାରିତ ହୋଇଛି । ୫ ଲକ୍ଷ କୋଟିର ଗ୍ୟାରେଂଟି ପାଲଟିଛି । ଡିଜିଟାଲ୍ ଇଣ୍ଡିଆ ଭାରତର ବଡ ଉପଲବ୍ଧି । ଡିଜିଟାଲ୍ ଇଣ୍ଡିଆ ପାଇଁ ବ୍ୟାକିଂ ବ୍ୟବସ୍ଥା ସହଜ ହୋଇଛି ।

ମୁର୍ମୁ କହିଛନ୍ତି, ୭୦ ହଜାରରୁ ଉର୍ଦ୍ଧ୍ୱ ଅମୃତ ସରୋବର ହୋଇଛି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଂଚିବାର ବିଶ୍ୱର ପ୍ରଥମ ରାଷ୍ଟ୍ର । ଐତିହାସିକ ଜି-୨୦ ସମ୍ମିଳନୀ ଆୟୋଜନ କରିଛି । ପ୍ରଥମ ଥର ଏସୀୟ କ୍ରୀଡାରେ ଶହେ ପଦକ ଜିତିଛି ଭାରତ । ବିଶ୍ୱରେ ପ୍ରଥମ ୫ଜି ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି । ସରକାର ଲକ୍ଷାଧିକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୩ ଦଶନ୍ଧି ବାଦ୍ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତଙ୍କୁ ବଧାଇ । କ୍ରିମିନାଲ ଜଷ୍ଟିସ ସିଷ୍ଟମ ସଂଶୋଧିତ ହୋଇଛି । ଜନଜାତି ସମୂହର ପ୍ରତିନିଧିତ୍ୱ ଅଧିକାର ବଢିଛି । ମିଶନ ମୋଡରେ ସରକାର କାମ କରୁଛନ୍ତି ।

ରାଷ୍ଟ୍ରପତି କହିଛନ୍ତି, ବିଶ୍ୱକର୍ମା ଯୋଜନାରେ ୮୪ ଲକ୍ଷ ଲୋକ ଯୋଡି ହୋଇଛନ୍ତି । ଫୁଟପାଥ ଲୋକଙ୍କ ପିଏମ ସ୍ୱନିଧ ଯୋଜନା ହୋଇଛି । ଶହେ ଆକାଂକ୍ଷୀ ଜିଲ୍ଲାରେ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ଆତଙ୍କବାଦ ଓ ବିସ୍ତାରବାଦର ଜବାବ ଦେଉଛନ୍ତି ସେନା ବାହିନୀ । ଜାମ୍ମୁ-କାଶ୍ମୀରରେ ଶାନ୍ତି ଫେରିଛି । ନର୍ଥ ଇଷ୍ଟ ବି ବିକାଶ ପଥରେ ଅଗ୍ରସର ହେଉଛି । ସାରା ଦେଶରେ ନକ୍ସଲବାଦ କମିଛି । ସୀମାବର୍ତୀ ଅଂଚଳରେ ଭିତିଭୂମି ଉପରେ ଗୁରୁତ୍ୱ । ସୀମାନ୍ତ ଗାଁକୁ ଶେଷ ନୁହେଁ ପ୍ରଥମ ଗାଁ ଭାବେ ଦେଖୁଛି । ଭିତିଭୂମି ବିକାଶ ପାଇଁ ବିଶ୍ୱବାସୀଙ୍କ ଆସ୍ଥା ବଢିଛି । ସ୍ଥିର ସରକାର ଯୋଗୁଁ ବିକାଶ ଦ୍ରୁତଗତିରେ ଆଗେଇଛି ।