କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ: ବହୁ ଚର୍ଚ୍ଚିତ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ମଧ୍ୟ ବଳବତର ରଖିଛନ୍ତି ନ୍ୟାୟାଳୟ । ଏବେ ହଜାର ହଜାର ସଂଖ୍ୟକ ଆଶାୟୀଙ୍କ ହାଇକୋର୍ଟଙ୍କ ରାୟ ଉପରେ ରହିଛି ।
ବୁଧବାର ମାମଲାର ଚୂଡାନ୍ତ ଶୁଣାଣି ସମୟରେ ରାଜ୍ୟ ସରକାର କେତୋଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଥିଲେ । ଯାହାକୁ ଆବେଦନକାରୀ ବିରୋଧ କରିଛନ୍ତି ।
ଆବେଦନକାରୀ ପ୍ରଶ୍ନ କରିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ଜିଲ୍ଲା ଭିତିକ ହେଉଛି ନା ରାଜ୍ୟ ଆଧାରରେ । ଉତରରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ଆଡଭୋକେଟ୍ ଜେନେରାଲ କହିଛନ୍ତି ନିଯୁକ୍ତି ଜିଲ୍ଲା ଆଧାରରେ ହେବାର ଅଛି । ତେବେ ପ୍ରାର୍ଥୀ ପ୍ରକ୍ରିୟା ଚୟନ ବେଳେ ନିୟମ କାହିଁକି ବଦଳାଗଲା ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି । ଯାହାର ସନ୍ତୋଷଜନକ ଉତର ରାଜ୍ୟ ସରକାର ଦେଇ ପାରି ନାହାନ୍ତି ।ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି ।
ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୨୩ ତାରିଖରେ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପାଖାପାଖି ୯୦ ହଜାର ଆଶାୟୀ ପରୀକ୍ଷା ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ନିକଟରେ ୧୮ ହଜାର ୭୦୦ ଆଶାୟୀଙ୍କ ମେରିଟ୍ ଲିଷ୍ଟ ଜାରି କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ପୁଣି ମାହାଲ ମାଣ୍ଡାଙ୍କ ନାଁରେ ଆଡମିଟ୍ କାର୍ଡ ଜାରି ହେବା ଏବଂ ଏହାର ଫଟୋ ସାମ୍ନାକୁ ଆସିବା ପରେ ବିବାଦ ବଡ ରୂପ ନେଇଥିଲା । ଆଶାୟୀମାନେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତା ହୋଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ପୁରା ଘଟଣାରେ ରାଜ୍ୟ ସରକାର ହରଡଘଣାରେ ପଡିଛନ୍ତି । ଏବେ ହାଇକୋର୍ଟଙ୍କ ରାୟ ଉପରେ ସଭିଙ୍କ ନଜର ।