ମୋଦୀ ସରକାରଙ୍କ ବଡ ଘୋଷଣା, ଲାଲକୃଷ୍ଣ ଆଡଭାଣୀଙ୍କୁ ମିଳିବ ଭାରତରତ୍ନ

ନୂଆଦିଲ୍ଲୀ: ମୋଦୀ ସରକାର ଏକ ବଡ ନିଷ୍ପତି କ୍ରମେ ବିଜେପିର ବରିଷ୍ଠ ନେତା ତଥା ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ଚେହେରା ଲାଲକୃଷ୍ଣ ଆଡଭାଣୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟର ହ୍ୟାଣ୍ଡେଲ ଏକ୍ସରେ ଶନିବାର ଏହାର ସୂଚନା ଦେଇଛନ୍ତି । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାଣୀ ରାମମନ୍ଦିର ଆନ୍ଦୋଳନର ପ୍ରମୁଖ ଚେହେରା ଥିଲେ । ଆନ୍ଦୋଳନକୁ ବ୍ୟାପକ କରିବାର ଶ୍ରେୟ ତାଙ୍କୁ ଦିଆଯାଏ । ଏମିତିରେ ମୋଦୀ ସରକାରଙ୍କ ଏହି ନିଷ୍ପତି ଲାଲକୃଷ୍ଣ ଆଡଭାଣୀଙ୍କୁ ଏକ ଉପହାର ସଦୃଶ ।
I am very happy to share that Shri LK Advani Ji will be conferred the Bharat Ratna. I also spoke to him and congratulated him on being conferred this honour. One of the most respected statesmen of our times, his contribution to the development of India is monumental. His is a… pic.twitter.com/Ya78qjJbPK— Narendra Modi (@narendramodi) February 3, 2024
ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଏହି ସୂଚନା ଦେଇ ଅତ୍ୟନ୍ତ ଖୁସି ଯେ ଲାଲକୃଷ୍ଣ ଆଡଭାଣୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ମୁଁ ତାଙ୍କୁ ଏ ନେଇ ଅଭିନନ୍ଦନ ଜଣାଉଛି । ଆଡଭାଣୀ ଆମ ସମୟରେ ସବୁଠୁ ବଡ ସମ୍ମାନିତ ରାଜନେତାଙ୍କ ମଧ୍ୟରୁ ଜଣେ ଏବଂ ଭାରତ ବିକାଶରେ ତାଙ୍କ ଯୋଗଦାନ ଅବିସ୍ମରଣୀୟ ରହିଛି । ପିଏମ ମୋଦୀ କହିଛନ୍ତି, ଲାଲକୃଷ୍ଣ ଆଡଭାଣୀ ତୃଣମୂଳସ୍ତରରେ କାମ କରି ଦେଶର ଉପ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଦେଶର ଗୃହମନ୍ତ୍ରୀ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ସେ ତିନି ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଛନ୍ତି । ଅଟଳବିହାରୀ ବାଜପେୟୀଙ୍କ ସରକାରରେ ସେ ଦେଶର ଗୃହମନ୍ତ୍ରୀ ଓ ଉପ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଆଡଭାଣୀ ଦଶନ୍ଧି ଧରି ଦେଶର ପ୍ରଗତି ଓ ଅଖଣ୍ଡତା ପ୍ରତି ପ୍ରତିବଦ୍ଧତା ରହିଥିଲେ । ଏହି ବରିଷ୍ଠ ନେତା ରାଜନୈତିକ ନୈତିକତାର ମାନଦଣ୍ଡ ସ୍ଥାପନ କରିଛନ୍ତି । ସେ ଦେଶର ରାଷ୍ଟ୍ରୀୟ ଏକତା ଓ ସାଂସ୍କୃତିକ ପୁନରୁଥାନକୁ ଆଗକୁ ବଢାଇବା ଦିଗରେ ଅଦ୍ୱିତୀୟ ପ୍ରୟାସ କରିଛନ୍ତି । ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ମୋ ପାଇଁ ବହୁତ ଭାବୁକ କ୍ଷଣ । ମୁଁ ଏହାକୁ ସର୍ବଦା ନିଜର ସୌଭାଗ୍ୟ ମଣିବି ଯେ ମୋତେ ତାଙ୍କ ସହ ଆଲୋଚନା କରିବା ଓ କିଛି ଶିଖିବାର ସୁଯୋଗ ମିଳିଛି ।
ସୂଚନାଯୋଗ୍ୟ, ନିକଟରେ ମୋଦୀ ସରକାର ଜନନାୟକ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନରେ ଦିଆଯାଇଛି । ଲାଲକୃଷ୍ଣ ଆଡଭାଣୀ ବିଜେପିର ଏକମାତ୍ର ନେତା ଯିଏ ତିନି ଥର ପାର୍ଟିର ଦାୟିତ୍ୱ ସମ୍ଭାଳିଥିଲେ । ପାର୍ଟି ଗଠନ ପରଠୁ ବିଜେପି ପାଇଁ ବହୁ କାମ କରିଛନ୍ତି । ପ୍ରାୟ ୫୦ ବର୍ଷ ଧରି ରାଜନୀତିରେ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସହିତ ସେ ଦ୍ୱିତୀୟ ନମ୍ବରର ନେତା ରହୀଥିଲେ । ରାମ ମନ୍ଦିର ପାଇଁ ରଥଯାତ୍ରା କରିବା ପରେ ତାଙ୍କର ଚେହେରା ହିନ୍ଦୁ ହୃଦୟ ସମ୍ରାଟ ଭାବେ ଖ୍ୟାତି ଅର୍ଜନ କରିଥିଲା । ୧୯୯୬ରେ ସରକାର ଗଠନ ପରେ ଲାଗୁଥିଲା ସେ ହିଁ ପ୍ରଧାନମନ୍ତ୍ରୀ ହେବେ । କିନ୍ତୁ ସେ ଅଟଳବିହାରୀ ବାଜପେୟୀଙ୍କ ନାମକୁ ସାଦରେ ଗ୍ରହଣ କରିଥିଲେ । ସେହି ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ସେ ନିଜ ଜୀବନକାଳରେ ତ୍ୟାଗ ଓ ବଡ ହୃଦୟର ଅନେକ ଉଦାହରଣ ଦେଇଛନ୍ତି ।