ଆଇଆଇଏମ ସମ୍ବଲପୁର କ୍ୟାମ୍ପସ ଲୋକାର୍ପଣ କଲେ ପିଏମ ମୋଦୀ, ଅନ୍ୟ ୧୮ଟି ପ୍ରକଳ୍ପର ହେଲା ଲୋକାର୍ପଣ ଓ ଶିଳାନ୍ୟାସ

ସମ୍ବଲପୁର: ଆଇଆଇଏମ ସମ୍ବଲପୁର କ୍ୟାମ୍ପସ ଲୋକାର୍ପିତ ହୋଇଛି । ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦ୍ଧିବଧ ଭାବେ ଲୋକାର୍ପଣ କରିଛନ୍ତି । ଏହା ସହିତ ଅନ୍ୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ୍ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ଆଇଆଇଏମ୍ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
୬୮ ହଜାର କୋଟିରୁ ଅଧିକ ବ୍ୟୟରେ ୧୮ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ୍ କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିଥିଲେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଂଚି ସେଠାରୁ ସଡକ ମାର୍ଗରେ ସମ୍ବଲପୁର ଆଇଆଇଏମର ନୂତନ କ୍ୟାମ୍ପସରେ ପହଂଚିଥିଲେ । ସୂଚନାଯୋଗ୍ୟ, ଗତ ୨୦୨୧ରେ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍ ସମ୍ବଲପୁରର ନୂତନ କ୍ୟାମ୍ପସ ଶିଳାନ୍ୟାସ କରିଥିଲେ।
ଆଉ କିଛି ସମୟପରେ ସମ୍ବଲପୁରର ରେମେଡ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏହି ସଭାରେ ପାଖାପାଖି ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାବେଶ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପିଏମ ମୋଦୀଙ୍କ ଏହି ଗସ୍ତ ଓଡିଶା ରାଜନୀତି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତାଙ୍କର ଭାଷଣ ହିଁ ରାଜ୍ୟ ବିଜେପି ବିଜେଡି ବିରୋଧରେ କେଉଁ ରଣନୀତି ନେଇ ନିର୍ବାଚନ ଲଢିବ ତାର ଦିଗ ପ୍ରସ୍ତୁତ ହେବ । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ପଶ୍ଚିମ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୋକସଭା ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି ।
ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୭୦ପ୍ଲାଟୁନ୍ ଫୋର୍ସ ସହ ସୁରକ୍ଷା ଦାୟିତ୍ବରେ ରହିବେ ୨୫୦ ପୋଲିସ ଅଫିସର । ଶୁକ୍ରବାର ସମ୍ବଲପୁର ଏସପି, ପୋଲିସ ଡିଜି, ଆଇଜି, ଉତ୍ତରାଞ୍ଚଳ ଡିଆଇଜି ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।