ପୁରୀ: ପୁଣି ଶ୍ରୀମନ୍ଦିରରେ ନୀତିକାନ୍ତିରେ ଘୋର ଅବ୍ୟବସ୍ଥା । ସିଂହାରି-ସୁପକାର ସେବକଙ୍କ ବିବାଦ କାରଣରୁ ଗତକାଲି ମହାପ୍ରଭୁଙ୍କ ପହୁଡ ପଡି ପାରି ନ ଥିଲା । ହେଲେ ବିଡମ୍ବନାର କଥା ଆଜି ବିନା ପହୁଡରେ ନୀତି ଆରମ୍ଭ ହୋଇଛି । ଗତକାଲି ଭିତର କାଠରେ ରକ୍ତ ପଡିଥିବାରୁ ବଡ ମହାସ୍ନାନ ନୀତି ହୋଇଥିଲା । ମହାସ୍ନାନ ନୀତି ହେବାରୁ ଭୋଗ ବାହାରି ପାରି ନ ଥିଲା । ଏହାରି ଭିତରେ ଭୋଗ ବଢାରେ ବିଳମ୍ବ ଓ ଗଭାଲାଗି ନୀତି ନ କରିବା ନେଇ ବିବାଦ ମୁଣ୍ଡ ଟେକିଥିଲା ।
ମହାପ୍ରଭୁଙ୍କ ନୀତି ବିଳମ୍ବ ହେବାରୁ ଗତକାଲିର ପହୁଡ ହୋଇ ପାରି ନ ଥିଲା । ବିନା ପହୁଡରେ ଆଜିର ନୀତି ଆରମ୍ଭ ହୋଇଛି । ବିବାଦ ଯୋଗୁଁ ଗତକାଲି ରାତିରେ ଭୋଗମଣ୍ଡପ ଘରେ ମହାପ୍ରସାଦ ତାଲା ମାରି ପଳାଇଥିଲେ ସିଂହାର । ଆଉ ଆଜି ସକାଳେ ବିନା ପହୁଡରେ ମହାପ୍ରଭୁଙ୍କ ନୀତି କାନ୍ତି ଆରମ୍ଭ ହୋଇଛି । ଏହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ନୀତିରେ ବିଳମ୍ବ ଓ ଅବ୍ୟବସ୍ଥା ଶ୍ରୀମନ୍ଦିରରେ ଏକ ସାଧାରଣ ଘଟଣାରେ ପରିଣତ ହୋଇ ସାରିଛି । ସେବାୟତଙ୍କ ମନମୁଖୀ କାର୍ଯ୍ୟ ଉପରେ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଅଙ୍କୁଶ ଲଗାଇ ପାରିନି । ଖୋଦ୍ ରାଜା ଦିବ୍ୟସିଂହ ଦେବ ମଧ୍ୟ ଅସହାୟ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।