ଭୁବନେଶ୍ୱର: ବହୁ ଯାକଜମକରେ ସଂପନ୍ନ ହୋଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଉଦଘାଟନ ଦିନ ଏହା ବିବାଦ ଘେରକୁ ଆସିଥିଲା । ଯେଉଁ ଓଡିଆ ଭାଷାକୁ ନେଇ ଏତେ ଭବ୍ୟ ଆୟୋଜନ ସେହି ଭାଷାକୁ କଦର୍ଥ କରି ଉଚ୍ଚାରଣ କରାଯିବା ପୁଣି କଳାମଣ୍ଡପରେ ନିର୍ମିତ ଅକ୍ଷର ଭୂମିରେ ଲ୍ ଶବ୍ଦ ଲେଖାଯିବାକୁ ଲୋକେ ନାପସନ୍ଦ କରିଥିଲେ । ଏବେ ଆଉ ଏକ ମସ୍ତବଡ ଭୁଲ ସାମ୍ନାକୁ ଆସିଛି । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ଉତ୍କଳ କେଶରୀ ହରେକୃଷ୍ଣ ମତତାବଙ୍କ ନାଁକୁ ବିକୃତ କରାଯାଇଛି ।
ଭଦ୍ରକ ଧାମନଗରର ଏକ ପ୍ରାଥମିକ ବିଦ୍ୟାଳୟର କାନ୍ଥରେ ନାଁକୁ ବିକୃତ କରି ଲେଖା ହୋଇଥିବା ଦେଖିବାକୁ ମିଳିଛି । ହରେକୃଷ୍ଣ ମହତାବ ଲେଖା ଯିବା ବଦଳରେ ଫଟୋ ତଳେ ହରେକୃଷ୍ଣ ମହାନ୍ତି ଲେଖା ହୋଇଛି । ଏହାର ଦୃଶ୍ୟ ବର୍ତମାନ ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଏହା ଦେଖି ସାଧାରଣ ଲୋକଙ୍କଠୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପରେ ମହାନ୍ତି ଉପରେ ରଙ୍ଗ ବୋଳା ଯାଇ ମହତାବ ଲେଖି ତ୍ରୁଟି ସଂଶୋଧନ କରାଯାଇଛି । କିନ୍ତୁ ରାଜ୍ୟର ମହାପୁରୁଷମାନଙ୍କ ନାଁକୁ ଲେଖା ଯିବା ସମୟରେ ଅଧିକ ଯତ୍ନବାନ ହେବା ଉଚିତ୍ ବୋଲି ବୁଦ୍ଧିଜୀବୀଗଣ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ଲୋକେ ରାଜ୍ୟ ସରକାରଙ୍କୁ ଏମିତି ଭୁଲ୍ ପାଇଁ ଖୁବ୍ ତାତ୍ସଲ୍ୟ କରିବା ସହ ନିନ୍ଦା କରିଛନ୍ତି ।
ସୂଚନାଯୋଗ୍ୟ, ଜନତା ମଇଦାନରେ ୩ରୁ ୫ ତାରିଖ ତିନି ଦିନ ଧରି ଆୟୋଜନ ହୋଇଛି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ସେଠାରେ ସରକାରଙ୍କ ପକ୍ଷରୁ ଯେଉଁ ମହିଳାଙ୍କୁ ଉପସ୍ଥାପିକା ଭାବେ ଦାୟିତ୍ୱ ଦିଆଯାଇଥିଲା, ସେହି ମହିୟସୀ ମହିଳା ପ୍ରସିଦ୍ଧ କବି ଓ ଲେଖକ କାନ୍ତକବି ଲକ୍ଷ୍ମୀଧର ମହାପାତ୍ରଙ୍କ ନାଁକୁ କଣ୍ଠ କବି ଭାବେ ଉଚ୍ଚାରଣ କରିଥିଲେ । ଥରେ ନୁହେଁ ଦୁଇ ଥର ସେ କଣ୍ଠକବି କହିଥିଲେ । କାନ୍ତକବି ଲକ୍ଷ୍ମୀଧର ମହାପାତ୍ର ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଛନ୍ତି । ଉଦଘୋଷିକା ଜଣକ ଯେତେବେଳେ ସମବେତ ଅତିଥିବୃନ୍ଦଙ୍କୁ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ କହିଲେ ତା ପୂର୍ବରୁ ସେ କାନ୍ତକବିକୁ କଣ୍ଠ କବି ଉଚ୍ଚାରଣ କରିଥିଲେ । ପରବର୍ତୀ ସମୟରେ ଉପସ୍ଥାପିକ ମହୋଦୟା ଭିଡିଓ ପୋଷ୍ଟ କରି ଭୁଲ୍ ମାଗିଥିଲେ ।
ବିଶ୍ୱ ଓଡିଶା ଭାଷା ସମ୍ମିଳନୀକୁ ଆହୁରି ସମ୍ମଣୀୟ କରିବା ନିମନ୍ତେ ଭୁବନେଶ୍ୱରର କଳାମଣ୍ଡପ ପରିସରରେ ନିର୍ମିତ ହୋଇଛି ଅକ୍ଷର ଭୂମି । ତେବେ ସେଥିରେ ଭୁଲ୍ ଲେଖାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଅ, ଆ, ଇ, ଈ,ଋ,ୠ ପରେ ଲ୍ କେଉଁଠୁ ଆସିଲା ବୋଲି ଲୋକେ ପ୍ରଶ୍ନ କରିଥିଲେ । ଯେଉଁ ଭାଷାକୁ ନେଇ ଏତେ ବଡ ଆୟୋଜନ ହେଉଛି ସେହି ଭାଷାକୁ କେମିତି କଦର୍ଥ କରାଯାଉଛି ତାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା ।