ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ସମାପ୍ତ ପରେ ଆଇସିସି ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ କିଛି ବଡ ପରିବର୍ତନ ଦେଖିବାକୁ ମିଳିଛି । ବିଶାଖାପଟନମ ଟେଷ୍ଟରେ ଇଂଲଣ୍ଡକୁ ଘାଇଲା କରିଥିବା ଯଶପ୍ରୀତ ବୁମରା ଟେଷ୍ଟ ବୋଲିଂ ମାନ୍ୟତାର ଏକ ନମ୍ବର ବୋଲି ହୋଇଛନ୍ତି । ଭାରତ ପକ୍ଷରୁ ପ୍ରଥମ ଥର କୌଣସି ଦ୍ରୁତ ବୋଲର ନମ୍ବର ୱାନ ଟେଷ୍ଟ ବୋଲର ହୋଇଛନ୍ତି । ଏହା ପୂର୍ବରୁ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ବିଶେନ ସିଂ ବେଦୀ ଏକ ନମ୍ବର ବୋଲର ହୋଇଥିଲେ । ହେଲେ ଏହି ତିନି ବୋଲର ସ୍ପିନର ଥିଲେ ।
ବୁୁମରା ବିଶାଖାପଟନମ ଟେଷ୍ଟର ପ୍ରଥମ ଇନିଂସରେ ୬ ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ୍ ଦଖଲ କରିଥିଲେ । ଏହି ଦମଦାର ବୋଲିଂ ବଳରେ ବୁମରା ଟେଷ୍ଟ ମାନ୍ୟତାରେ ୮୮୧ ଅଙ୍କ ସହ ଶୀର୍ଷକୁ ଉଠିଛନ୍ତି । ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ୮୫୧ ପଏଂଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଆର ଅଶ୍ୱିନ ୮୪୧ ପଏଂଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ରବୀନ୍ଦ୍ର ଜାଡେଜା ମାନ୍ୟତାର ନବମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ଟେଷ୍ଟ ନ ଖେଳିବାର କ୍ଷତି ତାଙ୍କୁ ସହିବାକୁ ପଡିଛି । ସେ ଦୁଇଟି ସ୍ଥାନ ତଳକୁ ଖସିଛନ୍ତି ।
ବିଶାଖାପଟନମ ଟେଷ୍ଟରେ ଆର ଅଶ୍ୱିନଙ୍କୁ କ୍ଷତି ସହିବାକୁ ପଡିଛି । ସେ ଦୁଇଟି ସ୍ଥାନ ତଳକୁ ଖସିଥିବା ବେଳେ ବୁମରା ତିନୋଟି ସ୍ଥାନ ଉନ୍ନତି ଘଟାଇଛନ୍ତି । ଚତୁର୍ଥରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଚତୁର୍ଥ ସ୍ଥାନରେ ଓ ତାଙ୍କ ଦେଶର ଜୋସ୍ ହେଜେଲଉଡ ପଂଚମରେ ରହିଛନ୍ତି । ଶ୍ରୀଲଙ୍କାର ବୋଲର ପ୍ରଭାତ ଜୟସୂର୍ଯ୍ୟାଙ୍କୁ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଚମତ୍କାର ବୋଲିଂ କରିଥିଲେ । ଆଉ ସେ ତିନୋଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଂଚିଛନ୍ତି । ସପ୍ତମରେ ଜେମ୍ସ ଆଣ୍ଡରସନ, ଅଷ୍ଟମରେ ନାଥନ ଲିୟନ, ନବମରେ ରବୀନ୍ଦ୍ର ଜାଡେଜା ଓ ଦଶମରେ ଓଲି ରବିନସନ ରହିଛନ୍ତି ।