କଟକ: ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ହାଇକୋର୍ଟଙ୍କ ଝଟକା । ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରପଂଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାଥିରେ ନେଇ ପ୍ରକଳ୍ପ ଚୟନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ । ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ମାମଲା ହୋଇଥିଲା । ରାଜ୍ୟର ଏକାଧିକ ସ୍ଥାନରୁ ସମାନ ମାମଲା ଦାୟର ହୋଇଥିଲା । ଏହି ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ବହୁ ଜନପ୍ରତିନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ ୪୨ଟି ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା । ଏହା ଉପରେ ଆଜି ଉଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି । ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାତ୍ର ପ୍ରକଳ୍ପ କାର୍ୟ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଛନ୍ତି ।
ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତୃଣମୂଳସ୍ତରରେ ବିକାଶ ପାଇଁ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଏଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା । ଏହି କାର୍ଯ୍ୟରେ ଜନପ୍ରତିନିଧି ସରପଂଚ ଓ ସମିତିସଭୟ ପ୍ରମୁଖଙ୍କୁ ଉପେକ୍ଷା କରାଗଲା । ସରକାରୀ ଅଧିକାରୀ ସଂପୂର୍ଣ୍ଣ ପ୍ରକଳ୍ପର ଚୟନ କରିବେ ଓ ତାଙ୍କ ଦ୍ୱାରା ସ୍ଥିରିକୃତ ଠିକାଦାରଙ୍କ ଜରିଆରେ କାମ କରାଯିବ ବୋଲି ଏହି ଯୋଜନାରେ କୁହାଗଲା । ଏହାକୁ ବିରୋଧ କରି ଜନପ୍ରତିନିଧିମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।