ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଗୁରୁବାର ବିଧାନସଭାରେ ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଫ୍ରି ଏଂଟ୍ରି ମିଳୁ ବୋଲି ନରସିଂହ କହିଛନ୍ତି । ଅନ୍ୟ ରାଜ୍ୟ ଭଳି ଓଡିଶାରେ ବି ସାମ୍ବାଦିକମାନଙ୍କୁ ପେନସନ ଦିଆଯାଉ ।
ସୂଚନାଯୋଗ୍ୟ, ପେନସନ ଏବଂ ବିଭିନ୍ନ ଦାବି ନେଇ ସାମ୍ବାଦିକମାନେ ଲୋୟର ପିଏମଜିରେ ଧାରଣା ଦେଇଥିଲେ । ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ସାମ୍ବାଦିକଙ୍କୁ ପେନସନ ଦିଆଯାଉ ବୋଲି ସାମ୍ବାଦିକଙ୍କ ମୁଖ୍ୟ ଦାବି ରହିଛି । ଅନ୍ୟପଟେ ଦୁର୍ଭାଗ୍ୟର ବିଷୟ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ । କରୋନା ସମୟରେ ଯେଉଁ କଟକଣା ଲାଗିଥିଲା ତାହା ଏ ପର୍ଯ୍ୟନ୍ତ ବଳବତର ରହିଛି । ଏପରିକି ଅନେକ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସରକାର ସାମ୍ବାଦିକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇ ବସିଛନ୍ତି ।
ସାମ୍ବାଦିକଙ୍କ କଣ୍ଠରୋଧ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଲୋକସେବା ଭବନରେ ବସୁଥିବା କ୍ୟାବିନେଟ୍ ନିଷ୍ପତି ସମୟରେ ରାଜ୍ୟ ସରକାର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଯେଉଁ ପ୍ରେସ ରିଲିଜ୍ ଦେଉଛନ୍ତି ତାହା ହିଁ ଖବର ପ୍ରକାଶ ପାଉଛି । ଏମିତି ବିଚିତ୍ର ସ୍ଥିତି ଓଡିଶାରେ ଦେଖିବାକୁ ମିଳୁଛି ।