ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ପିଭି ନରସିମାହ ରାଓ ଓ ସ୍ୱାମୀନାଥନଙ୍କୁ ଭାରତରତ୍ନ, ଘୋଷଣା କଲେ ପିଏମ ମୋଦୀ


ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ପିଭି ନରସିମାହ ରାଓଙ୍କ ସହିତ ସୁବଜ କ୍ରାନ୍ତିର ଜନକ କୁହାଯାଉଥିବା ଏମ ଏସ ସ୍ୱାମୀନାଥନଙ୍କୁ ମିଳିବ ଭାରତରତ୍ନ । ଏ ନେଇ ଶୁକ୍ରବାର ଏକ୍ସରେ ସୂଚନା ଦେଇ ଏହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ବପ୍ରଥମେ ସେ ଟୁଇଟ୍ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବ ବୋଲି ସୂଚନା ଦେଇଥିଲେ ।

ପିଏମ ମୋଦୀ ଏକ୍ସରେ ଲେଖିଛନ୍ତି, ଆମ ସରକାରଙ୍କ ଏହା ସୌଭାଗ୍ୟ ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଜୀଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବ । ଏହି ସମ୍ମାନ ଦେଶର ସେହି ଅତୁଳନୀୟ ଯୋଗଦାନ ପାଇଁ ସମର୍ପିତ । ସେ କୃଷକଙ୍କ ଅଧିକାର ଓ ସେମାନଙ୍କର କଲ୍ୟାଣ ପାଇଁ ନିଜର ପୂରା ଜୀବନ ସମର୍ପିତ କରିଥିବା ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଚୌଧୁରୀ ଚରଣ ସିଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ହେଉ କି ଦେଶର ଗୃହମନ୍ତ୍ରୀ କିମ୍ବା ଜଣେ ବିଧାୟକ ଭାବେ ସେ ସର୍ବଦା ରାଷ୍ଟ୍ର ନିର୍ମାଣକୁ ଗତି ପ୍ରଦାନ କରିଛନ୍ତି । ସେ ଜରୁରୀକାଳୀନ ପରିସ୍ଥିତିକୁ କଡା ସ୍ୱରରେ ବିରୋଧ କରି ଛିଡା ହୋଇଥିଲେ । ଆମର କୃଷକ ଭାଇ-ଭଉଣୀଙ୍କ ପାଇଁ ସମର୍ଥପ ଭାବ ଓ ଜରୁରୀକାଳୀନ ସମୟରେ ଗଣତନ୍ତ୍ର ପାଇଁ ତାଙ୍କ ପ୍ରତିବଦ୍ଧତା ପୁରା ଦେଶକୁ ପ୍ରେରିତ କରିବ ।

ନରସିମାହ ରାଓଙ୍କୁ ସମ୍ମାନ ଦେବାର ସୂଚନା ଦେଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହି ସୂଚନା ଦେଇ ମୁଁ ବହୁତ ଖୁସି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିମାହ ରାଓ ଗାରୁଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବ । ସେ ଜଣେ ବିଦ୍ୱାନ ଷ୍ଟେଟ ମ୍ୟାନ ଥିଲେ । ନରସିମାହ ଅଲଗା ଅଲଗା କ୍ଷମତା ଓ ପଦରେ ଥାଇ ଦେଶର ସେବା କରିଛନ୍ତି । ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ବିଧାୟକ ଭାବେ କରିଥିବା ନିଜର ସେବା ପାଇଁ ଦଶନ୍ଧି ଧରି ମନେ ରହିବେ ।

ଏମଏସ ସ୍ୱାମୀନାଥନଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବାର ସୂଚନା ଦେଇ ପିଏମ ମୋଦୀ ଲେଖିଛନ୍ତି ଏହା ବହୁତ ଖୁସିର ବିଷୟ ଯେ, ଭାରତ ସରକାର ଏମଏସ ସ୍ୱାମୀନାଥନଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରୁଛି । ସ୍ୱାମୀନାଥନ କୃଷି ଓ କୃଷକଙ୍କ ବିକାଶ ପାଇଁ ଅଦ୍ଭୁତପୂର୍ବ ଯୋଗଦାନ ଦେଇଛନ୍ତି । ମୋଦୀ ଏହା ମଧ୍ୟ ଲେଖିଛନ୍ତି, ସ୍ୱାମୀନାଥନ କୃଷି କ୍ଷେତ୍ରରେ ଭାରତକୁ କଠିନ ସମୟରେ ଆତ୍ମ ନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇ ସାରିଛି ।