ସମୀର ୱାଙ୍ଖେଡେଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି, ଶାହରୁଖ ଖାନଙ୍କ ପୁଅକୁ ଫସାଇବା ଅଭିଯୋଗରେ FIR ରୁଜୁ କରି ସାରିଛି CBI


ଭୁବନେଶ୍ୱର: ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ମୁମ୍ବାଇ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି) ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ମାମଲା ରୁଜୁ କରିଛି । ସମୀରଙ୍କ ବିରୋଧରେ ପ୍ରିଭେସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ ଆକ୍ଟ) ଆଧାରରେ କେସ୍ ରୁଜୁ କରାଯାଇଛି । ଇଡି ମାମଲାରେ କେସ୍ ରୁଜୁ କରିବା ସହିତ ୱାଙ୍ଖେଡେଙ୍କୁ ସମନ ଜାରି କରିଛି ।

ଇଡି ମାମଲାରେ କିଛି ଲୋକଙ୍କୁ ଜେରା ମଧ୍ୟ କରି ସାରିଛି । ଏବେ ଯେଉଁ ଲୋକଙ୍କୁ ସମନ ଜାରି କରାଯାଇଛି, ସେଥିରେ ଏନସିବିର କର୍ମଚାରୀ ସାମିଲ୍ ଅଛନ୍ତି । ଏହା ବ୍ୟତୀତ କିଛି ଘରୋଇ ଲୋକ ମଧ୍ୟ ସାମିଲ୍‌, ଯାହାଙ୍କୁ ଇଡି ପଚରା ଉଚୁରା କରିବ । ସମସ୍ତଙ୍କୁ ମୁମ୍ବାଇ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ସମୀର ୱାଙ୍ଖେଡେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସରେ ଗିରଫ କରିବା ପରେ ଚର୍ଚ୍ଚାରେ ଥିଲେ ।

ସିବିଆଇ ୨୦୨୩ ମେରେ ସମୀର ୱାଙ୍ଖେଡେ ଓ ଅନ୍ୟ ଚାରି ଜଣଙ୍କ ବିରୋଧରେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଫସାଇବା ପାଇଁ ୨୫ କୋଟି ଟଙ୍କା ଲାଂଚ ମାଗିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା । ସମସ୍ତ ଅଭିଯୁକ୍ତ ପ୍ରଥମ କିସ୍ତିରେ ୫୦ ଲକ୍ଷ ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା। ଏଫଆଇଆର ପରେ ସିବିଆଇ ୨୯ଟି ସ୍ଥାନରେ ଚଢାଉ କରିଥିଲା ।

ସମୀର ୱାଙ୍ଖେଡେ ସିବିଆଇ ପକ୍ଷରୁ ରୁଜୁ ଏଫଆଇଆର ରଦ୍ଦ କରିବା ଏବଂ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ସୁରକ୍ଷା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପଟେ ସିବିଆଇର ଏଫଆଇଆରକୁ ଆଧାର କରି ଇଡି ତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି ।