ନବରଙ୍ଗପୁର ସାଂସଦଙ୍କ କାର ଦୁର୍ଘଟଣାଗ୍ରସ୍ତ, ସାଂସଦଙ୍କ ସମେତ ୩ ଆହତ


ନବରଙ୍ଗପୁର: ବିଜେଡି ନେତା ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସାଂସଦ ରମେଶ, ତାଙ୍କ ପିଏସଓ ଓ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି । ଉମରକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି । ଡ୍ରାଇଭରଙ୍କ ଆଖି ଲାଗିବାରୁ ଏହି ଦୁ୍‌ର୍ଘଟଣା ଘଟିଥିବା କୁହାଯାଇଛି ।

ସୂଚନା ଅନୁଯାୟୀ, ସାଂସଦ ମାଝୀ ଗତକାଲି ବିମାନରେ ଦିଲ୍ଲୀରୁ ରାୟପୁର ଫେରିଥିଲେ । ସେଠାରୁ ବିଳମ୍ବିତ ରାତିରେ କାରରେ ଉମରକୋଟ୍ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଚିକଲପଦର ନିକଟରେ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାଂସଦ, ତାଙ୍କ ଡ୍ରାଇଭର ଓ ପିଏସଓ ଆହତ ହୋଇଛନ୍ତି । ଦୁର୍ଘଟଣା ବିଷୟରେ ଖବର ପାଇ ଉମରକୋଟ ପୋଲିସ ଓ ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ । ସାଂସଦ ମାଝୀ କହିଛନ୍ତି ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଛି । ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଛି । ତେବେ ସେ ସୁସ୍ଥ ଅଛନ୍ତି ।