ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ରବିବାର ପରଲୋକ ଘଟିଛି । ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ । ଭାରତୀୟ ରେଳ ସେବାରେ ସେ ଚାକିର କରିଥିଲେ । ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।
୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନ ଜନକ ଶାରଳା ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ଭଳି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।
ସାତକଡିଙ୍କ ଲେଖନୀରୁ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ପୁସ୍ତକ ପ୍ରକାଶ ପାଇଥିଲା । କବିତାରୁ ସେ ସାହିତ୍ୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ୧୯୬୭ ମସିହାରେ ପ୍ରକାଶ ପାଇଥିଲା । ଗଳ୍ପ, ଉପନ୍ୟାସ, କବିବା, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।
ସେ ଭାରତୀୟ ରେଳ ସେବାରୁ ଅବସର ନେଇଥିଲେ । ସମୟ ଖବରକାଗଜର ସମ୍ପାଦକ ଭାବେ ମଧ୍ୟ ନିଜର ଦାୟିତ୍ବ ସମ୍ପାଦନ କରିଥିଲେ। ୧୯୮୫ମସିହାରେ “ଭୁବନେଶ୍ୱର ପୁସ୍ତକ ମେଳା” ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।