ବଢୁଛି ପ୍ରଫୁଲ୍ଲଙ୍କ ଅଡୁଆ, ପୁଅ ଘରୁ ଦାମୀ କାର ସହ ୧୦ ଲକ୍ଷ ଜବତ


ଭୁବନେଶ୍ୱର: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମହାଦୁର୍ନୀତି ମାମଲାରେ ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକର ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ ବଢିବାରେ ଲାଗିଛି । ଗତକାଲି ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ଘର ସମେତ ୧୦ଟି ସ୍ଥାନରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଚଢଉ କରିଥିଲା । ଆଜି ଚଢଉରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ଟଙ୍କା ସହ କାର ଜବତ ହୋଇଛି । ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଇଡି ଜବତ କରିଛି ।

ସୂଚନାଯୋଗ୍ୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଗତକାଲି ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ ମାରଥିଲା । କେନ୍ଦ୍ରୀୟ ଏଜେନ୍ସି ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଚଢଉ କରିଥିଲେ । ଭୁୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ଏହି ଚଢଉ ହୋଇଥିଲା । ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ଚଢଉ କରିଛି । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ କରିଥିବା କୁହାଯାଉଛି ।

ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୫ ଜଣିଆ ଟିମ୍ ଚଢାଉ କରିଛି । ଅଧିକାରୀମାନେ ବିଧାୟକଙ୍କ ଘରେ କାଗଜପତ୍ର ଯାଂଚ କରିଥିଲେ । ୭ରୁ ୮ ବର୍ଷ ତଳେ ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। କଲେଜ ନାମରେ ପ୍ରଫୁଲ ସାମଲଙ୍କ ପୁଅ ଜମି ଆଣି ପରବର୍ତୀ ସମୟରେ ବିଲଡରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଉ ଏହି ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ବିଜେଡି ବିଧାୟକଙ୍କ ଘରେ ଆଜି ଇଡି ଚଢଉ କରିଛି । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତିବିନ୍ଧାସ୍ଥିତ ଘରେ ରେଡ୍ କରାଯାଇଥିବା ଜଣା ଯାଇଛି ।

ଗତକାଲି ଇଡି ଅଧିକାରୀମାନେ ଶ୍ରୀ ସାମଲଙ୍କୁ ତାଙ୍କ ଘରେ କଲେଜ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏଥିସହ ବରପଦା ଇଞ୍ଜିନିୟରିଂ କଲେଜର ଅନେକ କାଗଜପତ୍ର ଜବତ କରିଥିବା ଜଣା ପଡିଛି । ଅନ୍ୟ ଏକ ଟିମ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀଙ୍କୁ ଜେରା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବା ବେଳେ ଆକାଉଂଟାଂଟ ଭୀମଚରଣ ସାମଲଙ୍କ ଠାରୁ ମଧ୍ୟ କଲେଜର ଆୟବ୍ୟୟ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ ।