ପିଏମଙ୍କ ଡିଗ୍ରୀ ପଚାରି ମୁସ୍କିଲରେ କେଜରିୱାଲ ଓ ସଞ୍ଜୟ ସିଂ, ଯାଚିକା ଖାରଜ କଲେ ହାଇକୋର୍ଟ


ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲ ଓ ଜେଲରେ ବନ୍ଦ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ ଝଟକା ଲାଗିଛି । କୋର୍ଟ ଆମ୍ ଆଦମୀ ପାର୍ଟିର ଦୁଇ ନେତାଙ୍କ ବିରୋଧରେ ମାନହାନୀ କେସରେ ଜାରି ସମନ ରଦ୍ଦ କରିବାକୁ ମନା କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ପରେ ଗୁଜରାଟ ୟୁନିଭର୍ସିଟି ଦୁଇ ନେତାଙ୍କ ବିରୋଧରେ ମାନହାନୀ କେସ୍ ରୁଜୁ କରିଥିଲା । ଆଉ ଏହି କେସରେ ଦୁଇ ଆପ୍ ନେତାଙ୍କ ମୁସ୍କିଲ ବଢିବାରେ ଲାଗିଛି ।

ବାର ଆଣ୍ଡ ବେଂଚର ଏକ ରିପୋର୍ଟ ଅନୁଯାୟୀ, ଆଡିସିନାଲ ଚିଫ୍ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ପକ୍ଷରୁ ଜାରି ସମନକୁ ଚ୍ୟାଲେଞ୍ଜ କରି କେଜରିୱାଲ ଓ ସଞ୍ଜୟ ସିଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଜଷ୍ଟିସ ହସମୁଖ ଡି ସୁଥାର ଏହାକୁ ଖାରଜ କରି ଦେଇଛନ୍ତି । କେଜରିୱାଲ ଓ ସଞ୍ଜୟ ସିଂଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ପିଏମ ମୋଦୀଙ୍କ ଡିଗ୍ରୀକୁ ନେଇ ଗୁଜରାଟ ୟୁନିଭର୍ସିଟିର ପ୍ରତିଷ୍ଠାକୁ ମଳିନ କରିବାକୁ ଚେଷ୍ଟା କରାଯାଇଛି । ଏହି କେସରେ ଅଦାଲତ ଗତ ବର୍ଷ ଏପ୍ରିଲରେ ଦୁଇ ନେତାଙ୍କୁ ସମନ ଜାରି କରିଥିଲେ ।

ଟ୍ରାଏଲ କୋର୍ଟ କହିଥିଲେ, ଗୁଜରାଟ ୟୁନିଭର୍ସିଟିକୁ ନେଇ ଦିଆଯାଇଥିବା ବୟାନରେ ଯେ କୌଣସି ବୁଦ୍ଧିମାନ ବ୍ୟକ୍ତି ଏହି ଅର୍ଥ ବାହାର କରିବେ ଯେ, ୟୁନିଭର୍ସିଟି ପକ୍ଷରୁ ନକଲି ଡିଗ୍ରୀ ଦିଆଯାଏ ଓ ଅନୁଷ୍ଠାନ ଏଥିରେ ସଂପୃକ୍ତ । ଏହିପରି ଗୁଜରାଟ ୟୁନିଭର୍ସିଟିର ପ୍ରତିଷ୍ଠା ମଳିନ ପଡିବ । ଆଉ ସେସନ କୋର୍ଟ କେଜରିୱାଲ ଓ ସଞ୍ଜୟ ସିଂଙ୍କ ବିରୋଧରେ ମାନହାନୀ କେସକୁ ସଠିକ୍ ଦର୍ଶାଇଥିଲେ । ଏହା ପରେ ଆପ୍ ନେତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟରେ ଆପ୍ ନେତା ଯୁକ୍ତି ବାଢିଥିଲେ ଯେ, ଏହି ଅଭିଯୋଗ ଶୁଣାଣି ଯୋଗ୍ୟ ନୁହେଁ, କାରଣ ବୟାନ ୟୁନିଭର୍ସିଟି ବିରୋଧରେ ଦିଆଯାଇ ନ ଥିଲା ।