କଟକ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ବାଟ ଫିଟିଛି । ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରତ୍ନଭଣ୍ଡାରର ସଂପତିର ତାଲିକା ପ୍ରସ୍ତୁତ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । କମିଟିର ଅଧ୍ୟକ୍ଷ କିଏ ହେବ ୪ ସପ୍ତାହ ଭିତରେ ରାଜ୍ୟ ସରକାର ନିଯୁକ୍ତ କରିବେ । ଏହା ପରେ ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ନେଇ ଦାଖଲ ଆବେଦନର ଶୁଣାଣି କରି ଶୁକ୍ରବାର ଏହି ନିଷ୍ପତି ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ହାଇକୋର୍ଟ ୨୦୨୩ ସେପ୍ଟେମ୍ବର ୨୯ରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ୬୦ ଦିନ ଭିତରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା କଥା । ଅନ୍ୟପଟେ ପରିଚାଳନା କମିଟି ପକ୍ଷରୁ ଦର୍ଶାଯାଇଥିଲା ଯେ, ଫେବୃଆରୀ ୧୨ରେ ଉଚ୍ଚସ୍ତରୀୟ କମିଟି ଗଠନ ସଂକ୍ରାନ୍ତରେ ରାଜ୍ୟ ଓ ସରକାରଙ୍କୁ ଚିଠି ଲେଖା ଯାଇଛି । ଏହା ଉପରେ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କହିଛନ୍ତି ଯେ, ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ । ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ମାମଲାର ଶୁଣାଣି ୪ ସପ୍ତାହ ପରେ ଧାର୍ଯ୍ୟ କରାଯାଇଛି ।