ବ୍ରହ୍ମପୁର: କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ଓ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ନାଟ୍ୟ ଦିବସ (ଶ୍ରୀପଞ୍ଚମୀ) ପାନୋତ୍ସଵ : ୨୦୨୪’ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। କଳା-ସଂସ୍କୃତିର ଆରାଧ୍ଯ ଦେବୀ ମାତା ସରସ୍ବତୀଙ୍କ ପୂଜନ ତିଥି ସହିତ ନାଟ୍ଯ ସଂସ୍କୃତିର ପ୍ରାମାଣିକ ଆଦ୍ୟ ନ୍ରୁତ୍ୟ-ନାଟିକା କାଳଜୟୀ କାବ୍ୟଗ୍ରନ୍ଥ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ’ ରଚୟିତା କବିସୂର୍ଯ୍ୟ ବଳଦେବ ରଥ ଏବଂ ପୂଣ୍ୟଶ୍ଲୋକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ମାଘ ଶୁକ୍ଳ ପଞ୍ଚମୀରେ କଳା-ସଂସ୍କୃତିର ପ୍ରାଚୁର୍ଯ୍ୟ ଭୁଖଣ୍ଡ ଓଡିଶା ପ୍ରଦେଶରେ ‘ଓଡ଼ିଶା ନାଟ୍ୟ ଦିବସ’ ପାଳନ ପରମ୍ପରା ଓଡିଆ କଳା-ସଂସ୍କୃତିର ଅସ୍ମିତାର ପରିଚାୟକ ବୋଲି ମହାସଂଘ ପ୍ରତିପାଦିତ କରିପାରିଛି। ଏହି ଅବସରରେ ଅନ୍ୟୁନ ଅର୍ଦ୍ଧ ସହସ୍ରାଧିକ କଳାକାର ମାନଙ୍କ ଦ୍ବାରା ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରୁ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ବାହାରି ନଗର ପରିକ୍ରମା ସହ ପ୍ରକାଶମ୍ ହଲ୍ ଠାରେ ଆୟୋଜିତ ସଂକୀର୍ତ୍ତନ ସମାବେଶରେ ଯୋଗ ଦେଇଥିଲେ।
ଗଞ୍ଜାମ ଜିଲ୍ଲା ଶାଖା ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅଭିନେତା ରାଜେନ୍ଦ୍ର ମୋହନ ପତି, ସମାଜସେବୀ ତଥା ନାଟ୍ୟ ସମୀକ୍ଷକ ଇଂ. ଯାମିନୀ କାନ୍ତ ଦାସ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ରାଜ୍ୟ କିନ୍ନର ସଂଘ ଅଧ୍ୟକ୍ଷ ତଥା ନ୍ରୁତ୍ଯଶିଳ୍ପୀ ସୁଇଟୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସବୁ କଳାକାର ଏକ ପରିବାରରେ ଅନୁପ୍ରାଣିତ ସଂଘର କାର୍ଯ୍ୟଧାରାକୁ ଭୁୟସୀ ପ୍ରଶଂସା କରଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ନାଟ୍ଯ ଦିବସ ପାଳନ ସଂପର୍କରେ ଅବତାରଣା କରିଥିବା ବେଳେ ବରିଷ୍ଠ ଶିକ୍ଷାବିତ୍ ତଥା ମଞ୍ଚ ଅଭିନେତା ଶଙ୍କର୍ଷଣ ସାବତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ପରେ ସୁନାପୁର ସ୍ଥିତ ଶ୍ରୀଶ୍ରୀଶ୍ରୀ ବୁଢୀ ଠାକୁରାଣୀ ନାଟ୍ୟ ସଂଘ ପ୍ରଯୋଜିତ ତଥା ଘନଶ୍ୟାମ ବେହେରା ନିର୍ଦ୍ଦେଶିତ କୃଷ୍ଣ ଚନ୍ଦ୍ର ଓଡ଼ିଆ କୃତ ଲୋକ ନାଟକ ‘ରାମ ନାଟକ’ ପରିବେଷିତ ହୋଇଥିଲା।
କାର୍ଯ୍ଯକ୍ରମର ସାନ୍ଧ୍ୟ ଅଧିବେଶନରେ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର ଓ ସୁନାମଧନ୍ଯ ନାଟ୍ୟ ନିର୍ଦ୍ଦେଶକ ନାଟ୍ଯକାର ରମେଶ ମହାରଣା ଅତିଥି ଭାବରେ ଯୋଗ ଦେଇ ସାଂସ୍କୃତିକ ଚେତନା ସମାଜକୁ ସରସ ସୁନ୍ଦର କରିବାରେ ସହାୟତା କରିଥାଏ ବୋଲି ମତବ୍ଯକ୍ତ କରିଥିଲେ। ଏହି ଅବସରରେ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ନିର୍ଦ୍ଦେଶିତ ତଥା ଭଞ୍ଜକିଶୋର ପଟ୍ଟନାୟକ ବିରଚିତ ପୌରାଣିକ ନାଟକ ‘ବାଣ ହରଣ’ ମଞ୍ଚସ୍ଥ ହୋଇଥିଲା। ସର୍ବଶ୍ରୀ ଡା. ତିରୁପତି ସାହୁ, ରାଜେନ୍ଦ୍ର ମୋହନ ପତି, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଯୁଦ୍ଧିଷ୍ଠୀର ଭଞ୍ଜସାମନ୍ତ, ନାଲ୍ଲା ନୀଳକଣ୍ଠ, କୁମାର ନାୟକ,ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ଚାନ୍ଦମାମା ବେହେରା ପ୍ରମୁଖ ବରିଷ୍ଠ କଳାକାରମାନେ ଜୀବନ୍ତ ଅଭିନୟ ମାଧ୍ଯମରେ ନାଟକଟିର ସଫଳ ରୂପାୟନ କରିଥିଲେ। ସ୍ବରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ ଓ ପି. ଶଙ୍କର ସଙ୍ଗୀତ ମୂର୍ଛନା ତୋଳିଥିବା ବେଳେ ସତ୍ୟ ମହାରଣା ମଞ୍ଚ ସଜ୍ଜିକରଣ କରିଥିଲେ।
ଅନୁଷ୍ଠାନ ପକ୍ଷରୁ ସଂକୀର୍ତ୍ତନ କଳାକାରମାନଙ୍କୁ ଦଳୀୟ ସିଲ୍ଡ ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ବରିଷ୍ଠ ଅଭିନେତା ରାଜେନ୍ଦ୍ର ମୋହନ ପତି, ତେଲୁଗୁ ଚଳଚ୍ଚିତ୍ର ଅଭିନେତା କୁମାର ନାୟକ, ନାଟ୍ୟ ମହାରଥି ବିପିନ ମହାପାତ୍ର, ସଂସ୍କୃତି ପୁରୁଷ ମେଜର୍ ରମାରମଣ ପାଢୀ, ନାଟ୍ୟକାର ପ୍ରଫୁଲ୍ଲ କୁମାର ଶତପଥୀ, ତେଲୁଗୁ ଅଭିନେତ୍ରୀ ଏମ୍. କାମେଶ୍ବରୀ, ଅଭିନେତା ପ୍ରକାଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଅଭିନେତ୍ରୀ ମିନତୀ ଦାସ, ଯୁବ କଣ୍ଠଶିଳ୍ପୀ ଲିପି ମହାନ୍ତି ଓ ନ୍ରୁତ୍ଯଶିଳ୍ପୀ ତୁଳସୀ ସେଠୀଙ୍କୁ ସେମାନଙ୍କ ସାଂସ୍କୃତିକ କୃତିରାଜି ଘେନି ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବାହ୍ନ ଅଧିବେଶନରେ ବଳଦେବ ସାହୁ ଓ ସାନ୍ଧ୍ୟ ଅଧିବେଶନରେ ଅଭିରାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସୁଦାମ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଗୌଡ, ନାଟ୍ଯ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ମ୍ରତ୍ୟୁଞ୍ଜୟ ତ୍ରିପାଠୀ,ମହେନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ସାହୁ ମାମା, ପ୍ରଫୁଲ୍ଲ ନାୟକ, ଚିତ୍ତ ଦଳାଇ, ରାମ ପ୍ରସାଦ ସାବତ, ଗୀତା ସ୍ବାଇଁ, ଛବି ରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
ଓଡ଼ିଶା ନାଟ୍ୟ ଦିବସ ଆମ ସାଂସ୍କୃତିକ ଅସ୍ମିତାର ପ୍ରତୀକ : ମହାସଂଘ
