ଆସିଲା ନୂଆ ଆପାର୍ଟମେଂଟ ବିଲ୍‌: ବିଲଡରଙ୍କ କ୍ଷମତା ହଟିଲା, ଶକ୍ତିଶାଳୀ ହେଲେ ଫ୍ଲାଟ କ୍ରେତା


କଟକ: ଆଉ ଚାଲିବନି ବିଲଡରଙ୍କ ମନମାନୀ । ଆସିଲା ନୂଆ ଆପାର୍ଟମେଂଟ ପରିଚାଳନା ନିୟମାବଳୀ । ଏଥିସହ ଫ୍ଲାଟ ପଞ୍ଜିକରଣ ବାଟ ଖୋଲିଛି । ଫ୍ଲାଟର କମନ ଏରିଆ ଆସୋସିଏସନ ନାଁରେ ରହିବ । ଏହା ସହିତ ଘର ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବିଲଡର ଏହାକୁ ବିକ୍ରି କରି ପାରିବେନି । ନିୟମାବଳୀ ଆସିବା ଫଳରେ ଏବେ ବିଲଡରଙ୍କ କ୍ଷମତା ହଟିଛି ଏବଂ ଫ୍ଲାଟକ୍ରେତା ଶକ୍ତିଶାଳୀ ହୋଇଛନ୍ତି ।

ଦୀର୍ଘ ଦିନର ଆଇନଗତ ଲଢେଇ ପରେ ଶେଷରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନୂଆ ଆପାର୍ଟମେଂଟ ବିଲ୍ ୨୦୨୪ ଜାରି କରାଯାଇଛି । ଶନିବାର ଏ ସଂପର୍କରେ ବିଜ୍ଞପ୍ତି ଆସିବା ପରେ ଘରକ୍ରେତାକୁ ବଡ ଆଶ୍ୱସ୍ତି ମିଳିଛି । ଏ ସଂପର୍କିତ ଚୂଡାନ୍ତ ନିୟମ ଆସି ନ ଥିବାରୁ ଘର କିଣାବିକା ଠପ୍ ପଡିଥିଲା । ଏବେ ପୁଣି ଥରେ ଘର କ୍ରେତାଙ୍କ ପାଇଁ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ।

ନୂଆ ନିୟମ ଅନୁସାରେ କୌଣସି ପ୍ରକଳ୍ପରେ ଆସୋସିଏସନ ଅଫ୍ ଆଇଟିଜ୍ ବା ଆପାର୍ଟମେଂଟ କ୍ରେତାମାନଙ୍କୁ ନେଇ ସଂଘ ଗଠନ ବାଧ୍ୟତାମୂଳକ ରହିବ । ଏହା ଦ୍ୱାରା ବିଭିନ୍ନ ଫ୍ଲାଟ ଉପରେ ବିଲଡରଙ୍କ ମନମୁଖୀ କାମ ଚାଲିବ ନାହିଁ । ଘରକ୍ରେତାଙ୍କ ଆସୋସିଏସନ ପାଖରେ ଅଧିକ କ୍ଷମତା ରହିବ । ଫ୍ଲାଟଟି କ୍ରେତାଙ୍କ ନାମରେ ଏବଂ ସର୍ବ ସାଧାରଣ ସ୍ଥାନ ଆସୋସିଏସନ ନାମରେ ପଞ୍ଜୀକୃତ ହେବ ।

ଏହି ବିଜ୍ଞପ୍ତିରେ ଆସୋସିଏସନ ଗଠନ ପାଇଁ ଚୂଡାନ୍ତ ମଡେଲ ବାଇ-ଲ ପ୍ରକାଶ ପାଇଛି । ସେହି ବାଇ-ଲ ଆଧାରରେ ଆସୋସିଏସନ ଗୁଡିକ ଉନ୍ନୟନ କର୍ତୃପକ୍ଷଙ୍କ ନିକଟରେ ପଞ୍ଜିକୃତ ହେବେ । ରାଜ୍ୟରେ ୬ଟି ଉନ୍ନୟନ କର୍ତୃପକ୍ଷଙ୍କ ସଚିବ କମ୍ପିଟାଂଟ ଅଥରିଟି ରହିବେ । ଅନ୍ୟ ସ୍ଥାନମାନଙ୍କରେ ଉପଜିଲ୍ଲାପାଳ କମ୍ପିଟାଂଟ ଅଥରିଟି ଭାବେ କାର୍ଯ୍ୟ କରିବେ ।