୨ ସପ୍ତାହ ଭିତରେ ଓଡିଶା ରାଜନୀତିରେ ହେବାକୁ ଯାଉଛି ବଡ ପରିବର୍ତନ: ମୋହନ ମାଝୀ

ଭୁବନେଶ୍ୱର: ୨ ସପ୍ତାହ ଭିତରେ ଓଡିଶାରେ ହେବାକୁ ଯାଉଛି ବଡ ପରିବର୍ତନ । ଅନେକ ବିଜେଡି ନେତା ଦଳ ଛାଡିବେ । ଓଡିଶା ରାଜନୀତିରେ ଦେଖିବାକୁ ମିଳିବ ବଡ ଧରଣର ପରିବର୍ତନ । ବିଜେଡି ବିଧାୟକ ଓ ସାଂସଦମାନେ ଦଳ ଛାଡିବା ଆରମ୍ଭ କରିବେ । ଯାହାକୁ ଟିକେଟ୍ ମିଳିବନି ସେମାନେ ଅନ୍ୟ ଦଳକୁ ଯିବା କଥା ଭାବିବେ । ଏମିତି ବଡ ବୟାନ ଦେଇଛନ୍ତି ବିଜେପି ନେତା ମୋହନ ମାଝୀ ।
ସେ କହିଛନ୍ତି ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଟିକେଟ୍ ପାଇବାର ସମ୍ଭାବନା କମ ଥିବା ବିଜେଡିର ବିଧାୟକ ଓ ସାଂସଦ ବିଜେଡି ଛାଡି ବିଜେପିରେ ମିଶିବେ । ଏଥିରେ ବରିଷ୍ଠ ନେତା ବି ସାମିଲ । ବିଜେଡି ଦଳ ବିପର୍ଯ୍ୟସ୍ତ ସ୍ଥିତି ଆଡକୁ ଗତି କରୁଛି । ସବୁ ଯୋଜନା କେବଳ ନିର୍ବାଚନ ସର୍ବସ୍ୱ ହୋଇଥିବାରୁ ସେମାନେ ସଫଳ ହେବେନି । ଏଥର ନବୀନ ସରକାରର ପତନ ହେବ । ଶାସକ ଦଳରେ ନେତା ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ସଂପ୍ରତି ବିଜେପି ହିଁ ଓଡିଶାକୁ ଠିକ୍ ମାର୍ଗରେ ନେଇ ପାରିବ ବୋଲି ମୋହନ ମାଝୀ କହିଛନ୍ତି ।
ସୂଚନାଯୋଗ୍ୟ, ନିର୍ବାଚନ ପାଖେଇବା ସହ ଦଳ ଡିଆଁ ପର୍ବ ଆରମ୍ଭ ହୋଇ ଯାଇଛି । ପ୍ରାୟତଃ ପ୍ରତି ଦିନ ବିଜେପି ଛାଡି ନେତା ବିଜେଡିରେ ସାମିଲ ହେଉଥିବା ବେଳେ କଂଗ୍ରେସର ନେତା ଓ କର୍ମୀ ମଧ୍ୟ ଶାସକ ଦଳରେ ମିଶୁଛନ୍ତି । ମିଶ୍ରଣ ପର୍ବ ଯେତିକି ବଢୁଛି ବିଜେଡି ନେତାଙ୍କ ମୁଣ୍ଡ ସେତେ ଖରାପ ହେଉଛି । ଦଳର ଆଶାୟୀ ଏବେ ଟିକେଟ୍ ଚିନ୍ତାରେ । ଯେମିତି ଦଳ ବାହାର ନେତାଙ୍କ ଆମଦାନୀ କରୁଛି ସେମିତି ହେଲେ ତାଙ୍କ ଟିକେଟ୍ କଟିବାର ଆଶଙ୍କା କରୁଛନ୍ତି ପୁରୁଣା ନେତା ।
ଏମିତି ସ୍ଥିତିରେ ବିଜେଡିର ନେତା ମାନେ ମଧ୍ୟ ଟିକେଟ୍ ପାଇଁ ଅନ୍ୟ ଦଳରେ ମିଶିବା ସ୍ୱାଭାବିକ । ତେବେ ଯଦି ବରିଷ୍ଠ ନେତା, ବିଧାୟକ ଓ ସାଂସଦ ଦଳ ଛାଡନ୍ତି ତେବେ ତାହା ନିଶ୍ଚିତ ଭାବେ ବିଜେଡି ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିବ । କାରଣ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖା ଗଲାଣି । ନବୀନ ଲହର ମଧ୍ୟ କମିବାରେ ଲାଗିଛି । ଏଥିପାଇଁ ବିଜେଡି ସରକାର ପ୍ରତି ଦିନ ଲୋଭନୀୟ ଘୋଷଣା କରିବାରେ ଲାଗିଛନ୍ତି ।