ଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚାରଣ, ବନ୍ଧା ହେଲେ ସେବାୟତ


ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଲଜ୍ଜାଜନକ ଘଟଣା । ବିଦେଶିନୀଙ୍କ ସହ ଅସଦାଚରଣ କରି ବନ୍ଧା ହେଲେ ମନ୍ଦିରର ସେବାୟତ । ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ସେବାୟତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ଏରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ସେବାୟତ ହେଉଛି କୁଣ୍ଡୁ ମହାପାତ୍ର । ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତି ନ ଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବ ବୋଲି ପୋଲିସ କହିଛି ।

ସୂଚନା ଅନୁଯାୟୀ, କୁଣ୍ଡୁ ପ୍ରତିଦିନ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପୂଜା କରିବାକୁ ଯାଏ । ସୋମବାର ଅପରାହ୍ଣ ପ୍ରାୟ ୨ଟାରେ କୁଣ୍ଡୁ ମହାପାତ୍ରଙ୍କ ସହ ବିଦେଶିନୀ ପର୍ଯ୍ୟଟକଙ୍କ ଦେଖା ହୋଇଥିଲା । ସେବାୟତଜଣକ ତାଙ୍କୁ ମନ୍ଦିର ବୁଲାଇବା ସହ ମନ୍ଦିର ସଂପର୍କରେ ବୁଝାଇବ ବୋଲି କହିଥିଲା । ଏହା ପରେ ଉକ୍ତ ବିଦେଶିନୀଙ୍କୁ ଚିତ୍ରକାରିଣୀ ମନ୍ଦିର ପରିସରକୁ ନେଇ ଯାଇଥିଲା । ମନ୍ଦିର ପରିସର ନିଛାଟିଆ ଦେଖି ତାଙ୍କ ସହ ଅସଦାଚରଣ କରିଥିଲା । ବିଦେଶିନୀ ଜଣକ ଏହାର ପ୍ରତିବାଦ କରିବାରୁ ଏହା ଆମ ସଂସ୍କୃତି, ପରମ୍ପରା ବୋଲି କୁଣ୍ଡୁ କହିଥିଲା ।

କୁଣ୍ଡୁ ସେତିକିରେ ଅଟକି ନ ଥିଲା ବିଦେଶିନୀଙ୍କୁ ଅନ୍ୟ ଏକ ଛୋଟ ମନ୍ଦିର ଭିତରକୁ ନେଇ ଯାଇଥିଲା । ସେଠାରେ ବିଦେଶିନୀଙ୍କ ଅଙ୍ଗକୁ ସ୍ପର୍ଶ କରିଥିଲା । ସେଥିରେ ବିଦେଶିନୀ ଚିତ୍କାର କରି ଦୌଡି ଆସିଥିଲେ । ସେଠାରୁ ମୁକୁଳି ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି । ତାଙ୍କ ପଛ ରେକର୍ଡ ଯାଂଚ କରିବାରୁ ଜଣା ପଡିଥିଲା ଯେ, କୁଣ୍ଡୁ ପୂର୍ବରୁ ମଧ୍ୟ ବାହାର ମହିଳା ପର୍ଯ୍ୟଟକଙ୍କ ସହ ଏମିତି କରିଥିଲା । ଉକ୍ତ ମାମଲାରେ କୁଣ୍ଡୁକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ।