ତାମିଲନାଡୁରୁ ଆସିଲା ସର୍ଭେ ରିପୋର୍ଟ, ଏଥର ଲୋକସଭା ନିର୍ବାଚନରେ ସଫା ହୋଇଯିବ ବିଜେଡି !

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ନିର୍ବାଚନୀ ତାତି ବଢିବାରେ ଲାଗିଛି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରସ୍ତୁତି ଜୋରଦାର କଲେଣି । ପରସ୍ପରକୁ କେମିତି ମାତ୍ ଦେବେ ୱାର ରୁମରେ ଚାଲିଛି ଅଙ୍କ କଷା । ତେବେ ଏହାରି ମଧ୍ୟରେ ଏକ ସର୍ଭେ ଆସିଛି ଯାହା ସଭିଙ୍କୁ ଚମକାଇ ଦେବା ପରି ରହିଛି । ବିଶେଷ କରି ଏହି ସର୍ଭେ ରିପୋର୍ଟ ବିଜେଡିକୁ ଚିନ୍ତାର ପକାଇ ଦେବା ପରି ରହିଥିବା ଥିବା ବେଳେ ବିଜେପିକୁ ନିଶ୍ଚୟ ଉତ୍ସାହିତ କରିବ। ଲୋକସଭାକୁ ନେଇ ତାମିଲନାଡୁରୁ ଏହି ସର୍ଭେ ଆସିଛି, ଯେଉଁଥିରେ ବିଜେଡି ସଫା ହୋଇ ଯାଉଥିବା କୁହାଯାଇଛି ।
ତାମିଲନାଡୁର ଏକ ପ୍ରତିଷ୍ଠିତ ମ୍ୟାଗଜିନ ପୁଥିଆ ଥାଲାଇମରାଇ, ତାର ଟେଲିଭିଜନ, ଡିଜିଟାଲ ସଂସ୍ଥା ଦ ଫେଡେରାଲ ଏବଂ ଏପିଟି ରିସର୍ଚ୍ଚ ମିଳିତ ଭାବେ ପ୍ରିପୋଲ ସର୍ଭେ କରିଛନ୍ତି । ଭାରତର ଅନେକ ରାଜ୍ୟକୁ ନେଇ ଏହି ସଂସ୍ଥା ପ୍ରି ପୋଲ୍ ସର୍ଭେ କରିଥାନ୍ତି । ୨୧ ତାରିଖରେ ଓଡିଶା ଓ କର୍ଣ୍ଣାଟକକୁ ନେଇ ଏହି ପ୍ରିପୋଲ୍ ସର୍ଭେ ରିପୋର୍ଟ ସାମ୍ନାକୁଅ ଆସିଛି । ନିର୍ବାଚନକୁ ଆଉ ଦୁଇ ମାସରୁ ଅଧିକ ସମୟ ରହିଥିବା ବେଳେ ଏହି ସର୍ଭେ ବିଜେଡିକୁ ବାକଶୂନ୍ୟ କରି ଦେଇପାରେ । ସର୍ଭେରେ ଯେଉଁ ଆକଳନ କରାଯାଇଛି, ୨୦୨୪ ଲୋକସଭା ନିର୍ବାଚନରେ ଶାସକ ବିଜୁ ଜନତା ଦଳକୁ ମାତ୍ର ୧୯.୩୫ ପ୍ରତିଶତ ଭୋଟ୍ ମିଳିବ । ଦଳ ୨୦୧୯ ନିର୍ବାଚନରେ ୪୨.୮୦ ପ୍ରତିଶତ ଭୋଟ୍ ପାଇ ୧୨ଟି ଲୋକସଭା ସିଟ୍ ଜିତିଥିଲା ବିଜେଡି ।

ସର୍ଭେ ଅନୁଯାୟୀ, ଏଥର ଓଡିଶାରେ ବିଜେପିକୁ ଲୋକସଭା ନିର୍ବାଚନରେ ୫୪.୯୦ ପ୍ରତିଶତ ଭୋଟ୍ ମିଳିପାରେ, ଯାହା ୨୦୧୯ରେ ୩୮.୪୦ ପ୍ରତିଶତ ମିଳିଥିଲା । ଆଉ ଦଳ ୮ଟି ସିଟ୍ ଜିତିଥିଲା । ତେବେ ଏଥରୁ ଅନୁମାନ କରି ପାରୁଥିବେ ଭାରତୀୟ ଜନତା ପାର୍ଟିର ଭୋଟ୍ କେତେ ବଢିବାକୁ ଯାଉଛି । କେବଳ ୫୦ ପ୍ରତିଶତ ନୁହେଁ ଏକା ବେଳେ ପାଖାପାଖି ୫୫ ପ୍ରତିଶତ ଭୋଟ୍ ଏଥର ଦଳକୁ ମିଳିପାରେ । କଂଗ୍ରେସକୁ ୨୦୨୪ ଲୋକସଭା ନିର୍ବାଚନରେ ମିଳିପାରେ ୯.୭୪ ପ୍ରତିଶତ ଭୋଟ୍ । ଦଳକୁ ୨୦୧୯ରେ ୧୩.୪୦ ପ୍ରତିଶତ ଭୋଟ୍ ମିଳିଥିଲା । ଅର୍ଥାତ କଂଗ୍ରେସ ଦଳର ଅବସ୍ଥା ଆହୁରି ଶୋଚନୀୟ ହେବାକୁ ଯାଉଛି ।

ଆଉ କେଉଁ ଦଳ କେତୋଟି ଆସନ ଜିତିପାରେ ତା ଉପରେ ନଜର ପକାଇଲେ ସର୍ଭେରୁ ଦେଖିବାକୁ ମିଳୁଛି ଯେ, ୫୪.୯୦ ପ୍ରତିଶତ ଭୋଟ୍ ସହ ବିଜେପି ୨୦ଟି ଆସନ ପୋଛି ନେଉଛି । ଯାହା ସୁନାମୀ ସଦୃଶ ରହିଛି । ଆଉ ବିଜେଡି ଖାତାକୁ ମାତ୍ର ଗୋଟିଏ ସିଟ୍ ଯାଉଛି । କଂଗ୍ରେସ ଏଥର ଖାତା ଖୋଲି ନ ପାରେ ବୋଲି ତାମିଲନାଡୁର ସର୍ଭେ ସଂସ୍ଥା ଏହି ଆକଳନ କରିଛି । ଯଦି ଏମିତି ଫଳାଫଳ ଦେଖିବାକୁ ମିଳେ ତେବେ ରାଜ୍ୟରେ ଏକ ବ୍ୟାପକ ପରିବର୍ତନ ହେବାକୁ ଯାଉଛି । ତାମିଲନାଡୁର ଏହି ସର୍ଭେ ନିଶ୍ଚିତ ଭାବେ ବିଜେଡିକୁ ୧୦୦ ଥର ଭାବିବାକୁ ବାଧ୍ୟ ହେବ ।