ଟ୍ରକ ଧକ୍କାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଖବର ଶୁଣି ଟଳି ପଡିଲେ ଦାଦା


କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ଟ୍ରକ ଧକ୍କାରେ ବାପୁ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ଶୁଣି ଟଳି ପଡିଲେ ଦାଦା । ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଲୁହା ଛଡ ବୋଝେଇ ଟ୍ରକ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାପ-ପୁଅଙ୍କ ଦୁଃଖଦ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା(୫୭) ଓ ପୁଅ ଲକ୍ଷ୍ମଣ(୩୫) ସ୍କୁଟିରେ ବାଙ୍କପାଟୁଳି ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଛଡ ବୋଝେଇ ଟ୍ରକ ସ୍କୁଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ମୃତଦେହକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ଉତେଜନା ଦେଖା ଦେଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ-୨୦କୁ ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି ।

ଏହି ଖବର ଶୁଣି ବାରି ଗାଁରେ ପୁଅର ଦାଦା ସମରା ମୁଣ୍ଡା ଟଳି ପଡିଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁୁ ଘଟିଥିବା କୁହାଯାଉଛି । ଗାଁରେ ଶୋକାକୂଳ ମାହୋଲ ସୃଷ୍ଟି ହୋଇଛି । ଏକା ବେଳେ ତିନି ସଦସ୍ୟଙ୍କ ମୃତ୍ୟୁୁରେ ପରିବାର ଲୋକ ଭାଙ୍ଗିି ପଡିଛନ୍ତି । ଏକା ସଙ୍ଗେ ସଭିଙ୍କ ଅନ୍ତିମ ସଂସ୍କାର କରାଯିବ ।