ଇଡିର ସପ୍ତମ ସମନକୁ ବି ଅଣଦେଖା, ଆଜି ବି ହାଜର ହେବାକୁ ମନା କଲେ ଅରବିନ୍ଦ କେଜରିୱାଲ


ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପୁଣି ଥରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ର ସପ୍ତମ ସମନକୁ ଅଣଦେଖା କରିଛନ୍ତି । ଆଜି ବି ଇଡି ନିକଟରେ ହାଜର ହେବାକୁ ମନା କରି ଦେଇଛନ୍ତି କେଜରିୱାଲ । କୋର୍ଟଙ୍କ ନିଷ୍ପତିକୁ ପୁଣି ଥରେ ଅପେକ୍ଷା କରନ୍ତୁ ବୋଲି କେଜରିୱାଲ ଇଡିକୁ କହିଛନ୍ତି । ଥରେ କି ଦୁଇ ଥର ନୁହେଁ ବରଂ ସାତ ଥର ଏମିତି କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ।

ଆମ୍ ଆଦମୀ ପାର୍ଟି କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଜି ଇଡି ନିକଟରେ ହାଜର ହେବେ ନାହିଁ । ମାମଲା କୋର୍ଟରେ ବିଚାରଧୀନ ରହିଛି ଏବଂ ପରବର୍ତୀ ଶୁଣାଣି ମାର୍ଚ୍ଚ ୧୬ ତାରିଖ ରହିଛି । ଇଡିକୁ ପ୍ରତିଦିନ ସମନ ପଠାଇବା ପରିବର୍ତେ କୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିବା ଉଚିତ୍ । ଆମେ ଇଣ୍ଡିଆ ମେଂଟ ଛାଡିବୁ ନାହିଁ । ମୋଦୀ ସରକାରଙ୍କୁ ଏହି ପରି ଚାପ ପକାଇବା ଉଚିତ୍ ନୁହେଁ ।

ଇଡି କେଜରିୱାଲଙ୍କୁ ଗତ ଗୁରୁବାର ଫେବୃଆରୀ ୨୨ରେ ସପ୍ତମ ସମନ ଜାରି କରି ଫେବୃଆରୀ ୨୬ରେ ହାଜର ହେବାକୁ କହିଥିଲା । ଏହା ପୂର୍ବରୁ କେଜରିୱାଲ ଛଅ ସମନ ଉପରେ ଇଡି ନିକଟରେ ହାଜର ହୋଇ ନ ଥିଲେ । ଆପ୍ ଆରମ୍ଭରୁ ଇଡି ଦ୍ୱାରା ଅରବିନ୍ଦ କେଜରିୱାଲଙ୍କୁ ପଠାଯାଉଥିବା ବାରମ୍ବାର ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇଛି । ସମନର ବୈଧତା ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ଏଥିପାଇଁ ବାରମ୍ବାର ସମନ ପଠାଇବା ପରିବର୍ତେ କୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିବା ଉଚିତ୍ ।