ପ୍ରୟାଗରାଜ: ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ବଡ ଝଟକା ଲାଗିଛି । ଉଚ୍ଚ ନ୍ୟାୟାଳୟ ଜ୍ଞାନବାପୀ ମସଜିଦ ପରିସରରେ ଏକ ତହଖାନାରେ ନମାଜ ପଢିବା ବାରଣାସୀ ଜିଲ୍ଲା ଅଦାଲତଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିବା ଜ୍ଞାନବାପୀ ମସଜିଦ ସମିତିର ପିଟିସନକୁ ସୋମବାର ଖାରଜ କରିଛନ୍ତି । ଆହ୍ଲାବାଦ ହାଇକୋର୍ଟର ବିଚାରପତି ରୋହିତ ରଞ୍ଜନ ଅଗ୍ରୱାଲ ନିଷ୍ପତି ଶୁଣାଇ ବାରଣାସୀ ଜିଲ୍ଲା ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି । ଏହା ପୂର୍ବରୁ କୋର୍ଟ ହିନ୍ଦୁ ଓ ମୁସଲିମ ଉଭୟ ପକ୍ଷଙ୍କ ଲମ୍ବା ବିତର୍କ ପରେ ରାୟ ସଂରକ୍ଷିତ ରଖିଥିଲେ ।
ସୂଚନାଯୋଗ୍ୟ, ଏହି ମାମଲାରେ ବାରଣାସୀଙ୍କ ଅଦାଲତ ଜାନୁଆରୀ ୩୧ରେ ନିଜ ରାୟ ଶୁଣାଇ କହିଥିଲେ, ହିନ୍ଦୁ ପକ୍ଷ ଜ୍ଞାନବାପୀ ମସଜିଦର ଦକ୍ଷିଣ ତହଖାନାରେ ପ୍ରାର୍ଥନା କରି ପାରିବେ । ଅଦାଲତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଶ୍ରୀ କାଶୀ ବିଶ୍ୱନାଥ ଟ୍ରଷ୍ଟ ଦ୍ୱାରା ନାମିତ ପୂଜା ଓ ପୂଜାରୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ବାରଣାସୀରେ ଜ୍ଞାନବାପୀ ମସଜିଦର ପରିଚାଳନା କରୁଥିବା ଅଞ୍ଜୁମନ ଇନ୍ତଜାମିଆ ମସାଜିଦ କମିଟି ବାରଣାସୀ ଅଦାଲତଙ୍କ ନିଷ୍ପତିକୁ ଫେବୃଆରୀ ୧ରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଯାଚିକା ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରିବା ପରେ ହାଇକୋର୍ଟରେ ମୁସଲିମ ପକ୍ଷଙ୍କ ଦ୍ୱାରା ଯାଚିକା ଦାୟର କରାଯାଇଥିଲା ।
ହାଇକୋର୍ଟ ଫେବୃଆରୀ ୧୫ରେ ଉଭୟ ପକ୍ଷଙ୍କ ଲମ୍ବା ବିତର୍କ ପରେ ରାୟ ସଂରକ୍ଷିତ ରଖିଥିଲେ । ପାଂଚଟି କାର୍ଯ୍ୟ ଦିବସ ଧରି ଏହି ଶୁଣାଣି ହୋଇଥିଲା । ହିନ୍ଦୁ ପକ୍ଷଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ୍ ସିଏସ ବୈଦ୍ୟନାଥ ଓ ବିଷ୍ଣୁ ଶଙ୍କର ଜୈନ ମାମଲା ଲଢିଥିଲେ । ଆଉ ଆଜି ମାମଲା ଉପରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି । କୋର୍ଟ ଜ୍ଞାନବାପୀ ମସଜିଦର ତହଖାନାରେ ହିନ୍ଦୁ ପୂଜା କରି ପାରିବେ ବାରଣାସୀ ଜିଲ୍ଲା ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ।