ନୂଆଦିଲ୍ଲୀ: ଜେମିନି ଏଆଇର ଅସଫଳତା ପରେ ବିବାଦରେ ସିଇଓ ସୁନ୍ଦର ପିଚାଇ । ହେଲିୟୋସ କ୍ୟାପିଟାଲର ଫାଉଣ୍ଡର ସମୀର ଅରୋରାଙ୍କ ମତରେ ଜେମିନିର ବିଫଳତା କାରଣରୁ ଗୁଗଲର ପ୍ୟାରେଂଟ କମ୍ପାନୀ ଆଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ ବରଖାସ୍ତ କରିବା ଉଚିତ୍ କିମ୍ବା ସେ ନିଜେ ଇସ୍ତଫା ଦେଇଦେବା ଉଚିତ୍ । କାରଣ ଏଆଇ ଉପରେ ସେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ଅନ୍ୟକୁ ଏହା ଉପରେ କବଜା କରିବାକୁ ସୁଯୋଗ ଦେଇଛନ୍ତି ।
କଣ ଜେମିନି ଏଆଇ ?
ଗୁଗଲ ନିକଟରେ ବୈଶ୍ୱିକ ସ୍ତରରେ ୟୁଜର୍ସଙ୍କ ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ(ଏଆଇ) ଟୁଲକୁ ଆନୁଷ୍ଠାନିକ ଭାବେ ଲଂଚ୍ କରି ନିଜର ଚାଟବଟ୍ ବାର୍ଡକୁ ଜେମିନିର ରୂପରେ ରିବ୍ରାଣ୍ଡ କରାଇଥିଲା । ଗୁଗଲ ଅନୁସାରେ ୟୁଜର ଏବେ ୨୩୦ରୁ ଅଧିକ ଦେଶରେ ୪୦ରୁ ଅଧିକ ଭାଷାରେ ଜେମିନି ପ୍ରୋ ୧.୦ ମୋଡେଲ୍ ସହ ଜଡିତ ରହି ପାରିବେ । ଜେମିନି ଆଡଭାନ୍ସ ଗୁଗଲ ୱାନ ଏଆଇ ପ୍ରିମିୟମ ପ୍ଲାନର ଅଂଶ । ଯାହାର ମୂଲ୍ୟ ମାସିକ ୧୯.୯୯ ଡଲାର ରହିଛି। ଏହା ଦୁଇ ମାସର ଫ୍ରି ଟ୍ରାଏଲ ସହିତ ଆରମ୍ଭ ହେବ ।
କେଉଁଠୁ ଆରମ୍ଭ ହେଲା ବିବାଦ
ଲଂଚ୍ ହେବାର ଗୋଟିଏ ସପ୍ତାହ ଭିତରେ ହିଁ ଏହା ବିବାଦ ଘେରକୁ ଆସିଛି । ଏପି ରିପୋର୍ଟ ଅନୁଯାୟୀ, ଗୁଗଲ ଫେବୃଆରୀ ୨୩ରେ ଜେମିନି ଏଆଇ ସଂପର୍କିତ ଏକ ଏଆଇ ଇମେଜ ଜେନେରେଟ ତ୍ରୁଟିପୂର୍ଣ୍ଣ ରୋଲଆଉଟ ପାଇଁ କ୍ଷମା ମାଗିଥିଲା । ଗୁଗଲ ଏହା ମଧ୍ୟ ସ୍ୱୀକାର କରିଥିଲା ଯେ, ଟୁଲର ବିବିଧତାରେ କିଛି ତ୍ରୁଟି ରହିଛି । ବିବାଦକୁ ଆସିବା ପରେ ଗୁଗଲ କହିଛି, ନିଜର ଚାଟବଟର ଇମେଜ ଜେନେରେଟକୁ ଅସ୍ଥାୟୀ ଭାବେ ରୋକିବାକୁ ନିର୍ଣ୍ଣୟ ନେଇଛି । ଏହାର ଦୁରୁପଯୋଗ ହେବାର ଅଧିକ ସମ୍ଭାବନା ଥିଲା ।