ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ, ଚାଲିଛି ଜେରା


ଭୁୁବନେଶ୍ୱର: ଇଡିରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ପ୍ରଫୁଲ୍ଲଙ୍କୁ ଜେରା କରୁଛି । ପ୍ରଫୁଲ ଓ ତାଙ୍କ ପୁଅଙ୍କୁ ଜେରା ପାଇଁ ଫେବୃଆରୀ ୧୭ରେ ଇଡି ସମନ ଜାରି କରିଥିଲା । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରଫୁଲ୍ଲଙ୍କ ଓକିଲ ସମୟ ମାଗିଥିଲେ । ଆଉ ଆଜି ସେ ଇଡିରେ ହାଜର ହୋଇଛନ୍ତି ।

ସୂଚନାଯୋଗ୍ୟ, ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୫ ଜଣିଆ ଟିମ୍ ଚଢାଉ କରିଥିଲା । ଅଧିକାରୀମାନେ ବିଧାୟକଙ୍କ ଘରେ କାଗଜପତ୍ର ଯାଂଚ କରିଥିଲେ । ୭ରୁ ୮ ବର୍ଷ ତଳେ ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। କଲେଜ ନାମରେ ପ୍ରଫୁଲ ସାମଲଙ୍କ ପୁଅ ଜମି ଆଣି ପରବର୍ତୀ ସମୟରେ ବିଲଡରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଉ ଏହି ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ବିଜେଡି ବିଧାୟକଙ୍କ ଘରେ ଆଜି ଇଡି ଚଢଉ କରିଥିଲା । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତିବିନ୍ଧାସ୍ଥିତ ଘରେ ରେଡ୍ କରାଯାଇଥିବା ଜଣା ଯାଇଥିଲା।

ସେହିପରି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଇଡି ଜବତ କରିଥିଲା । ୧୫ ତାରିଖରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ ମାରଥିଲା । କେନ୍ଦ୍ରୀୟ ଏଜେନ୍ସି ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଚଢଉ କରିଥିଲେ । ଭୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ଏହି ଚଢଉ ହୋଇଥିଲା । ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ଚଢଉ କରିଛି । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର‌୍ୟ୍ୟାନୁଷ୍ଠାନ ନେଇଛି ।