Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିସୁଟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଚିପିଲିମା,ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ରେ ଆୟୋଜିତ ଜାତୀୟ ସମ୍ମୀଳନୀ, “ପାରମ୍ପରିକ ଜ୍ଞାନ ଓ ପରମ୍ପରାର ନବ ଉନ୍ମେଷ” କୁ ଉଦଘାଟନ କରି କୁଳପତି ପ୍ରଫେସର ବଂଶୀଧର ମାଝି ସାର ସି. ଭି. ରମଣଙ୍କ ଯୁଗାନ୍ତକାରୀ ଆବିଷ୍କାର ସବୁର ଇତିହାସରୁ ପ୍ରେରଣା ନେଇ ଗବେଷକ ମାନଙ୍କୁ ଦେଶର ଲୋକ ମାନଙ୍କ କଲ୍ଯାଣ ପାଇଁ ଗବେଷଣା କରିବା ପାଇଁ ପ୍ରେରିତ କରିଥିଲେ। କାର୍ଯ୍ୟକ୍ରମ ଆବାହକ ପ୍ରଫେସର ସଞ୍ଜୟ କୁମାର ପାତ୍ର ବିଷୟ ପରିଚୟ ପ୍ରଦାନ ପୂର୍ବକ ପାରମ୍ପରିକ ବିଜ୍ଞାନ ଏ ବର୍ଷ ଜାତୀୟ ବିଜ୍ଞାନ ଦିବସର ଥିମ ଅଛି ବୋଲି କହିଥିଲେ। ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ସମ୍ବଲପୁର ମୁନିସିପାଲ କମିଶନର ବେଦ ଭୂଷଣ, ଭା. ପ୍ର. ସେ. ଭାରତୀୟ ଗବେଷକ ମାନଙ୍କ ମଧ୍ଯରେ ଏକତା ଓ ଏକାତ୍ମତାର ଅଭାବକୁ ରେଖାଙ୍କିତ କରି ଏକାଠି କାମ କରିବାର ଆବଶ୍ଯକତା ଅଛି ବୋଲି କହିଥିଲେ। ସରକାରୀ ଗବେଷଣା ଉପକରଣ ସବୁ ବ୍ଯକ୍ତିଗତ ସମ୍ପତ୍ତି ପରିବର୍ତ୍ତେ ସବୁ ଗବେଷକ, ସବୁ ଅଧ୍ଯାପକ ମାନଙ୍କ ପାଇଁ କିପରି ବ୍ଯବହାର ହୋଇ ପାରିବ ସେଥିପାଇଁ ଶିକ୍ଷାବିତ ଓ ଗବେଷକ ମାନେ ଏକାଠି ବସି ସମାଧାନର ବାଟ ବାହାର କରିବା ଉଚିତ୍ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତି ରମଣଙ୍କ ଗବେଷଣାର ବିଭିନ୍ନ ଦିଗ ଓ ଦିଗନ୍ତ କିପରି ସାମ୍ପ୍ରତିକ ବିଜ୍ଞାନକୁ ଊଦ୍ଧିମନ୍ତ କରିଛି ତାହା ବିଶଦ ଭାବେ ବର୍ଣ୍ଣନା କରିଥିଲେ। ସମ୍ମାନୀତ ବକ୍ତା ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ କହିଲେ ପ୍ରକୃତିକୁ ନିରିକ୍ଷଣ କରି ଯୁଗାନ୍ତକାରୀ ଆବିଷ୍କାର କରବାରେ ରମଣ ବିଶ୍ୱର ଅନନ୍ଯ ଗବେଷକ। ଜାହାଜରେ ଯାତ୍ରା କଲାବେଳେ ଭୂମଧ୍ଯ ସାଗରର ନୀଳ ରଙ୍ଗ ଦେଖି ସେ ଭାବିଲେ ଏହା କଣ ଆକାଶର ପ୍ରତିବିମ୍ବ? ଏ ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ସେ ଆବିଷ୍କାର କଲେ ରମଣ ପ୍ରଭାବ ଓ ପାଇଲେ ନୋବେଲ ପୁରସ୍କାର । ଭାରତର ପୁରପଲ୍ଲୀରେ ବହୁଳ ବ୍ଯବହୃତ ବାଦ୍ଯଯନ୍ତ୍ର ଗୁଡିକରେ ଶବ୍ଦ କିପରି ସୃଷ୍ଟି ହେଉଛି ତାର ଗାଣିତିକ ସୁତ୍ର ସବୁ ଆଧୁନିକ ବିଶ୍ୱକୁ ରମଣ ହିଁ ଜଣାଇ ଥିଲେ । ଯୁଗପୁରୁଷ ୟଙ୍ଗ, ହେଲମୋଲଜ ଯାହା କରିପାରିନଥିଲେ ତାହା ରମଣ କରି ଦେଖାଇଥିଲେ, ସେ ବୀଣାର ଧ୍ବନିର ସୁତ୍ର ହେଉ କିମ୍ବା ତାନପୁରାର ସ୍ୱର ହେଉ। ଆମର ଦୁର୍ଭାଗ୍ଯ ରମଣ ପ୍ରଭାବକୁ ବୁଝି ବିଦେଶୀ ମାନେ କୋଟି କୋଟି ଟଙ୍କାର ବ୍ଯବସାୟ କରୁଥିବା ବେଳେ ଆମେ ବହୁ ପଛରେ। ପ୍ରଫେସର ପାଣିଗ୍ରାହୀ ଭାରତ ସରକାରଙ୍କ କ୍ୱାଣ୍ଟମ ମିଶନ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ସମ୍ମାନୀତ ବକ୍ତା ମୋହିନୀ ମୋହନ ମିଶ୍ର କହିଲେ – ଆଧୁନିକ ବିଜ୍ଞାନ ପାରମ୍ପରିକ ଫସଲର ବିବିଧତା ହତ୍ଯା କରିଛି। ଆଧୁନିକ ବିଜ୍ଞାନ ଅମଳକ୍ଷମ ଫସଲ ଉତ୍ପାଦନ ଲୋଭରେ ଜୈବ ବିବିଧତା ନଷ୍ଟ କଲା। ୧୩୯ ପ୍ରକାରର ଶାଗ, ୪୩୨ ପ୍ରକାରର ବାଇଗଣ, ଶତାଧିକ ପ୍ରକାରର ଧାନ ଆମର ଖାଦ୍ୟ ଅଭ୍ଯାସର ଅଂଶ ଥିଲା। ଉଷୁନା, ଅରୁଆ, ଖିରି, ମୁଢି, ଚୁଡା, ଖଇ, ଉଖୁଡ଼ା,ପଖାଳ, ହାଣ୍ଡିଆ ପାଇଁ ଅଲଗା ଅଲଗା ଧାନ ଚାଷ ହେଉଥିଲା। ସ୍ୱାମୀନାଥନ୍ ସିଣ୍ଡ୍ରୋମ ଗୋଟିଏ ପ୍ରକାର ଫସଲ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଦ୍ୱାରା ଆଜି ଆମ ଚାଷ, ଆମ ସଂସ୍କୃତି ପାଉଁଶ ଗଦାରେ। ଭାରତରେ ୧୨୭ଟି ପାଣିପାଗ କ୍ଷେତ୍ର ରହିଛି। ଆଧୁନିକ ବିଜ୍ଞାନ ଏହାପ୍ରତି ସମ୍ବେଦନଶୀଳ କି? ପ୍ଲାଜମା ପ୍ରଯୁକ୍ତି ବିଦ୍ଯା ବ୍ଯବହାର କରି ଅମଳକ୍ଷମ ବିହନ ପ୍ରସ୍ତୁତ କରିହେବ ବୋଲି ନିମନ୍ତ୍ରିତ ବକ୍ତା ଡଃ ଗୌରୀଶଙ୍କର ସାହୁ ମତବ୍ୟକ୍ତ କରିଥିଲେ। ଏହାର ରୋଗପ୍ରତିରୋଧକ ଶକ୍ତି ମଧ୍ଯ ଆଶା ଜନକ ହୋଇ ପାରିବ। ବିଭିନ୍ନ ଅଧିବେଶନରେ ଡଃ ପଦ୍ମନାଭ ଯୋଷୀ, ପ୍ରଫେସର ଶଙ୍କର ପ୍ରସାଦ ପତି, ପ୍ରଫେସର ସଞ୍ଜୟ କୁମାର ପାତ୍ର, ଡଃ ପୂଣ୍ୟପ୍ରିୟା ମିଶ୍ର, ଡଃ ଅଧ୍ଯାପକ ଦିବ୍ଯ କିଶୋର ପଣ୍ଡା ପ୍ରମୁଖ ବିଭିନ୍ନ ଅଧିବେଶନରେ ଅଧ୍ଯକ୍ଷତା କରିଥିଲେ। ଜୀବନ ବ୍ଯାପି ସାଧନା ପାଇଁ ଓଡିଶା ବିଜ୍ଞାନ ମଣ୍ଡଳ, ସମ୍ବଲପୁର ତରଫରୁ ଆଇଜର, କଲିକତାର ପ୍ରାକ୍ତନ ନିର୍ଦ୍ଦେଶକ ଓ ବିଶିଷ୍ଟ କ୍ୱାଣ୍ଟମ ଗବେଷକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ଭାରତରତ୍ନ ଭେଙ୍କଟରମଣ ଗବେଷକ ସମ୍ମାନ -୨୦୨୪ ଓ ମାଧ୍ଯମିକ ଶିକ୍ଷା ବୋର୍ଡର ଅବସରପ୍ରାପ୍ତ ବିଜ୍ଞାନ ବିଶେଷଜ୍ଞ କିଶୋର ଚନ୍ଦ୍ର ମହାନ୍ତିଙ୍କୁ ଭାରତରତ୍ନ ଭେଙ୍କଟରମଣ ଶିକ୍ଷା ସମ୍ମାନ -୨୦୨୪ ପ୍ରଦାନ ପୂର୍ବକ ସ୍ମୁତି ଚିହ୍ନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସଂଗଠନ ସମ୍ପାଦକ ପ୍ରଫେସର ଗଣେଶ୍ୱର ନାଥ, ତାଙ୍କ ସହଯୋଗୀ ପ୍ରାଧ୍ଯାପକ ଡଃ ଆନନ୍ଦ କୁମାର ବେହେରା, ଡଃ ବିଦ୍ଯାଧର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂଦୀପ କୁମାର ସ୍ୱାଇଁ, ଶ୍ରେୟାଂସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଦାର୍ଥ ବିଜ୍ଞାନର ବରିଷ୍ଠ ପ୍ରାଧ୍ଯାପିକା ଡଃ ସୁନନ୍ଦା କୁମାରୀ ପତ୍ରୀ କାର୍ଯ୍ୟକ୍ରମ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ