Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମା ବଢ଼େଇ ନିଖୋଜ ଘଟଣା; ସିଟି ଷ୍ଟେସନ ପରିତ୍ୟକ୍ତ ସ୍ଥାନରୁ ମିଳିଲା ସୁଦର୍ଶନଙ୍କ ଗଲିତ ଶବ

ଜମନକିରା: ଗତ ୪ ତାରିଖରୁ ନିଖୋଜ ଥିବା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଗ୍ରାମର ସୁଦର୍ଶନ ବେହେରାଙ୍କ ଗଳିତ ଶବ ଗତକାଲି ଜମନକିରା ପୁଲିସ ସମ୍ବଲପୁର ସିଟି ଷ୍ଟେସନ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରିଛି। ତେବେ ଠିକରେ ଚିହ୍ନଟ ହୋଇ ନପାରିବା କଥା ପୋଲିସ କହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଯାଇ ଯାହା କିଛି କହିହେବ ବୋଲି ଥାନା ଅଧିକାରୀ ପ୍ରେମଜିତ ଦାସ ପ୍ରକାଶ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଶବ ଚିହ୍ନଟ ସଠିକ ହୋଇନାହିଁ, ତାହେଲେ କିଭଳି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଗଲା ବୋଲି ସାଧାରଣରେ ପୋଲିସ କାର୍ଯ୍ୟ ପ୍ରତି ପ୍ରଶ୍ନ ଉଠୁଛି। ଗତକାଲି ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ, ଗତ ୪ ତାରିଖରୁ ନିଜ ଘର ସମ୍ମୁଖରୁ ସୁଦର୍ଶନ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ଗୌଡପାଲି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମଧ୍ୟ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ତେବେ ପୋଲିସ ପାଖରେ ୮ଦିନ ପର୍ଯ୍ୟନ୍ତ କୌଣସି ସୁରାକ୍‌ ମିଳିନଥିଲା। କିନ୍ତୁ ଗତ ୭ ତାରିଖ ଦିନ ସମ୍ବଲପୁର ସହର ଅଧିନସ୍ଥ ଧନକଉଡା ସିଟି ଷ୍ଟେସନ ପାଖରେ ଥିବା ଏକ ହ୍ୟୁଣ୍ଡାଇ ଗ୍ୟାରେଜ ପରିତ୍ୟକ୍ତ ସ୍ଥାନରେ ଦୁର୍ଗନ୍ଧ ହେଉଥିବା ନେଇ କର୍ମଚାରୀ ଜାଣି ପାରିଥିଲେ। ଆଖପାଖରେ ଖୋଜାଖୋଜି କଲାପରେ ଜଣେ ଲୋକର ଗଲିତ ଶବ ପାଇ ଧନୁପାଲି ପୋଲିସକୁ ଖବର ଦେଇଥିଲେ। ଧନୁପାଲି ପୋଲିସ ଘଟଣାସ୍ଥଳକୁ ଯାଇ ଅପରାହ୍ନ ପ୍ରାୟ ସାଢେ଼ ୩ଟା ସମୟରେ ଶବଟିକୁ ଉଦ୍ଧାର କରିଥିଲେ। ପରେ ୧୧ତାରିଖ ଦିନ ଗୌଡପାଲି ପୋଲିସର ନିଖୋଜ ମାମଲାକୁ ଭିତ୍ତିକରି ସୁଦର୍ଶନଙ୍କ ପୁଅ ଓ ସ୍ତ୍ରୀଙ୍କୁ ଚିହ୍ନିବାପାଇଁ ଡକାଇଥିଲା। ବୁର୍ଲା ଶବ ଗୃହରେ ସୁଦର୍ଶନଙ୍କ ପୁଅ ଓମପ୍ରକାଶ ଓ ସ୍ତ୍ରୀ ପ୍ରିୟମ୍ବଦା ଉଭୟେ ସୁଦର୍ଶନଙ୍କ କୁର୍ତ୍ତା, ଓ ଖଣ୍ଡିଆ ଦାନ୍ତକୁ ଦେଖି ସୁଦର୍ଶନଙ୍କୁ ଚିହ୍ନିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମାତ୍ର ପୋଲିସ ଘଟଣାକୁ ଏବେ ବି ଅସ୍ବୀକାର କରୁଛି କି, ବ୍ୟବଚ୍ଛେଦ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଏହା ସୁଦର୍ଶନ କି ଆଉ କାହାର କହି ହେଉନାହିଁ। ତେଣୁ ପୋଲିସର ଏପରି ବୟାନ ଲୋକଙ୍କ ମନରେ ପୁଲିସର କାର୍ଯ୍ୟ ପ୍ରତି ସନ୍ଧେହ ସୃଷ୍ଟି କରୁଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ୪ ତାରିଖ ଦିନ ସଂଧ୍ୟାରେ ସୁଦର୍ଶନଙ୍କ ସ୍ତ୍ରୀ ପ୍ରିୟମ୍ବଦା ଅନ୍ୟତ୍ର ଯାଇ ଥିବାବେଳେ ସୁଦର୍ଶନଙ୍କ ଘର ନିକଟରେ ରହୁଥିବା ନିଜ ବୋହୂଙ୍କୁ ରାନ୍ଧିବାପାଇଁ ମାଛ ଦେଇଥିଲେ। ସେହି ସମୟରେ ବିଦ୍ୟୁତ ନଥିବାରୁ ଘରୁ ଟର୍ଚ୍ଚ ଆଣି ଯିବା କହି ନିଜ ଘର ଆଡେ ଚାଲିଯାଇଥିଲେ। ତାପର ଠାରୁ ସୁଦର୍ଶନ ନିଖୋଜ ଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ନେଇ ତଦନ୍ତବେଳେ ପୋଲିସ ତାଙ୍କ ଘର ସମ୍ମୁଖରୁ ସୁଦର୍ଶନଙ୍କ ଗୋଟିଏ ଚପଲ, ଗୋଟିଏ ଗାମୁଛା ଓ କିଛି ରକ୍ତ ଛିଟା ପାଇଥିଲା। ଗତକାଲି ସୁଦର୍ଶନଙ୍କ ଶବ ଚିହ୍ନଟ ପରେ ପରିବାରଙ୍କ ଆଶଙ୍କା ସମ୍ପୂର୍ଣ୍ଣ ସତ ପ୍ରମାଣିତ ହୋଇଛି। ଗ୍ରାମବାସୀମାନେ ଏହି ଘଟଣାକୁ ଏକ ଅପହରଣ ତଥା ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଦାବି କରୁଛନ୍ତି। ଯାହା ସନ୍ଧେହ କରୁଥିଲେ ତାହା ଆଜି ସତ୍ୟ ରୂପ ନେଇଛି ବୋଲି ଗାଁରେ ଚର୍ଚ୍ଚା ଚାଲିଛି। ସୁଦର୍ଶନଙ୍କ ସ୍ତ୍ରୀ ପୂର୍ବରୁ ଶତ୍ରୁତା ଥିବା ନିଜ ଗାଁ ଯୁଯୁମୁରା ଥାନା ଅନ୍ତର୍ଗତ ଟାମ୍ପେରଗଡ ଜୈନେକ ପରିବାରର ଲୋକେ ଅପହରଣ କରି ନେଇଥିବା ନେଇ ଆମ ପ୍ରତିନିଧିଙ୍କ ଆଗରେ ଗତକାଲି ପ୍ରକାଶ କରିଥିଲେ। ସେ କହିଥିଲେ ଗତ ୧୩ ବର୍ଷ ହେବ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଛକ ନିକଟରେ ନିଜ ଗାଁ ଟାମ୍ପେରଗଡ ଘର ଛାଡ଼ି ଆମ୍ଭ ପରିବାର ଏଠି ରହି ଆସୁଥିଲୁ। ପାଖାପାଖି ୧୩ ବର୍ଷ ତଳେ ଘଟିଯାଇଥିବା ଏକ ହତ୍ୟାକାଣ୍ଡକୁ ନେଇ ନିଜ ଗାଁର ଏକ ପରିବାର ତାଙ୍କ ସାନ ଭାଇକୁ ମାରିଦେଇ କୂଅରେ ଫିଙ୍ଗି ଦେଇଥିବା ନେଇ ଆମ୍ଭ ପରିବାରଙ୍କୁ ହତ୍ୟାକାରୀ ଦୋଷ ଦେଇ ଜେଲକୁ ପଠେଇ ଦେଇଥିଲେ। ଆମେ ୨ ବର୍ଷ ଜେଲ ଦଣ୍ଡ ପାଇବା ପରେ ବଡରମାକୁ ଆସି ଦୀର୍ଘ ୧୩ ବର୍ଷ ହେଲା ରହି ଆସୁଛୁ। ହେଲେ ଉକ୍ତ ପରିବାର ମୋ ସ୍ୱାମୀକୁ ଅପହରଣ କରି ନେଇଛନ୍ତି ବୋଲି ସ୍ପଷ୍ଟ କହିଥିଲେ। ଅପର ପକ୍ଷେ ପୋଲିସ ସୁଦର୍ଶନଙ୍କ ସ୍ତ୍ରୀ ଆରୋପ କରୁଥିବା ପରିବାରଙ୍କୁ ତଦନ୍ତ ବେଳେ ପଚରା ଉଚୁରା କରିଥିବା ବେଳେ ସେମାନେ ଅଭିଯୋଗ କୁ ଖଣ୍ଡନ କରିଥିବା ନେଇ ଥାନା ଅଧିକାରୀ ଶ୍ରୀ ଦାସ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ