ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୋଟ୍ ବଦଳରେ ଭୋଟ୍ ଦେବା ମାମଲାରେ ସାଂସଦମାନଙ୍କୁ କୌଣସି ପ୍ରକାରର କୋହଳ ଦେବାକୁ ମନା କରି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ବୃହତ ସାମ୍ବିଧାନିକ ଖଣ୍ଡପୀଠ ସୋମବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହିପରି କୋର୍ଟ ନିଜର ପୁରୁଣା ନିଷ୍ପତିକୁ ବଦଳାଇ ଦେଇଛନ୍ତି । ଅଦାଲତ ଅନୁଚ୍ଛେଦ ୧୦୫ର ଉଦାହରଣ ଦେଇ ଲାଂଚ ମାମଲାରେ ସାଂସଦମାନଙ୍କୁ କୌଣସି ଆଶ୍ୱସ୍ତି ଦେଇ ନାହାନ୍ତି । ୧୯୯୩ ସମିହାରେ ନରସିମା ରାଓଙ୍କ ସରକାର ସମର୍ଥନରେ ଭୋଟ୍ ଦେବା ପାଇଁ ସାଂସଦମାନଙ୍କୁ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଥିଲା ।
୧୯୯୮ରେ ୫ ଜଣିଆ ଜଜଙ୍କ ଖଣ୍ଡପୀଠ ୩-୨ ବହୁମତରେ ନିଷ୍ପତି ଶୁଣାଇଥିଲେ ଯେ, ସାଂସଦମାନେ ଯେଉଁ କୌଣସି କାର୍ଯ୍ୟ ସଂସଦରେ କରନ୍ତି ଏହା ତାଙ୍କର ବିଶେଷାଧିକାରରେ ଆସୁଛି । ମାତ୍ର ଆଜି ସର୍ବୋଚ୍ଚ ଅଦାଲତ ସାଂସଦଙ୍କ ବିଶେଷାଧିକାର ପରିଭାଷାକୁ ବଦଳାଇ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, ଅନୁଚ୍ଛେଦ ୧୦୫ ଆଧାରରେ ସାଧାରଣ ନାଗରିକଙ୍କ ପରି ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ଲାଂଚ ନେବା ଏବଂ ଦେବାରେ କୋହଳ ଦିଆଯାଇପାରିବ ନାହିଁ । ୧୯୯୮ ନିଷ୍ପତିରେ ସୁପ୍ରିମକୋର୍ଟ କହିଥିଲେ ଯେ, ସଂସଦରେ ଯଦି କୌଣସି କାର୍ଯ୍ୟ ହୋଇଥାଏ ତାହା ସାଂସଦଙ୍କ ବିଶେଷାଧିକାର ଏବଂ ଏହା ଉପରେ ମୋକଦ୍ଦମା କରାଯାଇ ପାରିବ ନାହିଁ । ମାତ୍ର ଆଜି ସୁପ୍ରିମକୋର୍ଟ ନିଜର ସେହି ପୁରୁଣା ନିଷ୍ପତିକୁ ବଦଳାଇ ଦେଇଛନ୍ତି ।
ଏହି ନିଷ୍ପତି ଅନୁସାରେ ଯଦି ଭୋଟ୍ ବଦଳରେ ସାଂସଦ ଟଙ୍କା ନିଅନ୍ତି ତେବେ ସେମାନଙ୍କ ଉପରେ ମଧ୍ୟ ସାଧାରଣ ନାଗରିକଙ୍କ ପରି କେସ୍ ଚାଲିବ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ମାମଲାରେ ମଧ୍ୟ ସାଂସଦଙ୍କୁ କୌଣସି କୋହଳ ଦିଆଯାଇ ପାରିବ ନାହିଁ । ସେମାନଙ୍କ ବିରୋଧରେ ମୋକଦ୍ଦମା ଚାଲିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯଦି ସାଂସଦ ଲାଂଚ ନିଅନ୍ତି ଏବଂ ଦୁର୍ନୀତି କରନ୍ତି ତେବେ ତାହା ସମ୍ବିଧାନର ସିଦ୍ଧାନ୍ତ ଓ ଏହାର ଆଦର୍ଶକୁ ଉଲ୍ଲଂଘନ କରୁଛି ।