ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଫ୍ରାଂଚାଇଜ ସନରାଇଜର୍ସ ହାଇଦ୍ରାବାଦ ସୋମବାର ଆଇପିଏଲ୍ ୨୦୨୪ ପାଇଁ ନିଜର ନୂତନ ଅଧିନାୟକ ଘୋଷଣା କରିଛି । ଦଳ ଅଷ୍ଟ୍ରେଲିଆର ଅଧିନାୟକ ତଥା ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ନିଜର ଅଧିନାୟକ ନିଯୁକ୍ତ କରିଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବ୍ୟାଟର ଆଡନ ମାରକ୍ରମ ଦଳର ଅଧିନାୟକ ଥିଲେ । ତାଙ୍କ ନେତୃତ୍ୱରେ ଗତ ସିଜିନରେ ହାଇଦ୍ରାବାଦ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ପଏଂଟ ଟେବୁଲର ନିମ୍ନ ସ୍ଥାନରେ ଥିଲା । ଦଳ ୧୪ଟି ମ୍ୟାଚରୁ ୧୦ଟି ହାରି ମାତ୍ର ୪ଟି ଜିତିଥିଲା । ଦଳ ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ହାଇଦ୍ରାବାଦ ଦଳ ପ୍ରବନ୍ଧକ ଏମିତି ନିଷ୍ପତି ନେଇଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦ ନିଲାମରେ ମୋଟା ଅଙ୍କ ଖର୍ଚ୍ଚ କରି ପାଟ୍ କମିନ୍ସଙ୍କୁ ନିଜ ଦଳରେ ସାମିଲ୍ କରିଛି । ଏହି ଦ୍ରୁତ ବୋଲର ପାଇଁ ଏସଆରଏଚ ୨୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରିଛି । ଏମିତିରେ ତାଙ୍କର ଅଧିନାୟକ ହେବା ସ୍ୱାଭାବିକ ଥିଲା । କମିନ୍ସଙ୍କ ପାଇଁ କ୍ରିକେଟ୍ ଦୁନିଆ ଗତ ଏକ ବର୍ଷ ହେବ ଚମତ୍କାର ରହିଛି । ତାଙ୍କ ନେତୃତ୍ୱରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟ୍ରଫି ଜିତିଥିଲା । ପୁଣି ଦଳ ଆସେସ ଟ୍ରଫି ନିଜ ପାଖରେ ରଖିବାରେ ସଫଳ ହୋଇଥିଲା । ତାଙ୍କ ନେତୃତ୍ୱରେ ସବୁଠୁ ବଡ ଉପଲବ୍ଧି ଦଳ ୨୦୨୩ ଦିନିକିଆ ବିଶ୍ୱକପ୍ ଜିତିବାରେ ସଫଳ ହୋଇଥିଲା ।
#OrangeArmy! Our new skipper Pat Cummins 🧡#IPL2024 pic.twitter.com/ODNY9pdlEf
— SunRisers Hyderabad (@SunRisers) March 4, 2024
କମିନ୍ସଙ୍କୁ ଗତ ବର୍ଷ ଆଇସିସି କ୍ରିକେଟ ଅଫ ଦ ଇୟରରେ ସମ୍ମାନିତ କରାଯିବା ସହ ଆଇସିସି ଟେଷ୍ଟ ଦଳର ଅଧିନାୟକ ଚୟନ କରାଯାଇଥିଲା । ଆଶା କରାଯାଉଛି ପାଟ୍ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ଦଳର ପ୍ରଦର୍ଶନରେ ସୁଧାର ଆସିବ । ଉଲ୍ଲେଖନୀୟ ଦଳ ନିଜର ଶେଷ ଟାଇଟଲ୍ ୨୦୧୬ରେ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱରେ ଜିତିଥିଲା ।