ବହୁଦିନଧରି ମଙ୍ଗଳପୁର ଏଲ ଆଇ ପଦବୀ ଖାଲି ଏଲ ଆଇ କେନ୍ଦ୍ର ପାଲଟିଛି ଭୁତକୋଠି


ବେଲଗୁଣ୍ଠା,05/03, ବେଲଗୁଣ୍ଠା ବ୍ଳକ୍ ମଙ୍ଗଳ ପୁର ଅଞ୍ଚଳରେ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭବେ ଫେଲ୍ ମାରିଛି I ଏଠାରେ ଦୀର୍ଘ ଦିନ ହେବ ଏଲ୍.ଆଇ ପଦବୀ ଖାଲି ପଡିଥିବାରୁ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି I ଏହି ମଙ୍ଗଳପୁର ଏଲ୍.ଆଇ ଦାୟିତ୍ୱରେ ବଙ୍କା ଏଲ୍.ଆଇ ଥିବା ବେଳେ ସେ ଏକାକୀ ଉଭୟ ସ୍ଥାନର ଗୃହପାଳିତ ପଶୁଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି I ଉଭୟ ବଙ୍କା ଏବଂ ମଙ୍ଗଳପୁର ଅଞ୍ଚଳରେ ଚାରି ହଜାରରୁ ଊର୍ଦ୍ଧ୍ଵ ଗୃହପାଳିତ ପଶୁ ରହିଥିବା ବେଳେ ସେମାନଙ୍କୁ ସେବା ଯୋଗାଇବା ଜଣେ ଏଲ୍.ଆଇଙ୍କ ପକ୍ଷେ କାଠିକର ପାଠ ହୋଇପଡିଛି I ମଙ୍ଗଳପୁରରେ ଥିବା ଏଲ୍.ଆଇ କେନ୍ଦ୍ର ସପ୍ତାହରେ ମାତ୍ର ଦିନେ କି ଦୁଇଦିନ ଖୋଲା ରହୁଛି I ଅନ୍ୟପଟେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଲ୍.ଆଇ କେନ୍ଦ୍ରଟି ଏକ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି I ବର୍ତ୍ତମାନ ବସନ୍ତ ଋତୁ ଚାଲିଥିବା ବେଳେ ଗୃହପାଳିତ ପଶୁଙ୍କୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ହେବାର ଆଶଙ୍କା ଦେଖା ଦେଇଛି I କିନ୍ତୁ ଦୀର୍ଘଦିନ ଧରି ଏଲ୍.ଆଇ ପଦବୀ ଖାଲି ପଡିଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି I ଏଲ୍.ଆଇ ପଦବୀ ପୂରଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରଶାସନ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି I ଏପରିକି ଗୃହପାଳିତ ପଶୁଙ୍କ ସ୍ଵାସ୍ଥ୍ୟରକ୍ଷା ପାଇଁ ଅନ୍ ଲାଇନ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କଲେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି I ଏନେଇ ଅଞ୍ଚଳରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି I