ମେଂଟ ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ବଢିଲା ଆଶାକର୍ମୀଙ୍କ ଦରମା


ଭୁବନେଶ୍ୱର: ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟକୁ ନେଇ କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହା ମଧ୍ୟରେ ଗୁରୁବାର ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଆଉ ଏକ ବଡ ଘୋଷଣା କରିଛନ୍ତି । ଆଶାକର୍ମୀଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସେବା ନିବୃତ ପ୍ରୋତ୍ସାହନ ରାଶିକୁ ୫୦ ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତିରେ ୪୯,୫୨୨ ଆଶା କର୍ମୀ ଉପକୃତ ହେବେ । ଏଥିପାଇଁ ବର୍ଷକୁ ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ସୂଚନାଯୋଗ୍ୟ, ଗତ ଏକ ମାସ ହେବ ପ୍ରାୟତଃ ପ୍ରତିଦିନ ରାଜ୍ୟ ସରକାର କୌଣସି ନା କୌଣସି ବର୍ଗ ପାଇଁ ଦରମା ବୃଦ୍ଧି ଘୋଷଣା କରି ଚାଲିଛନ୍ତି । ସେ ପାଚିକା ହେଉ ଅବା ଉର୍ଦ୍ଦୁ ଶିକ୍ଷକ ବା ଅଙ୍ଗନୱାଡି କର୍ମୀ ସଭିଙ୍କ ଦରମା ବଢାଇ ରାଜ୍ୟ ସରକାର । ରାଜ୍ୟ ସରକାର ଏମିତି ନିଷ୍ପତି କେବଳ ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ନେଉଛନ୍ତି । କାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି । ତେଣୁ ଦରମା ବଢାଇ ନିଜ ସପକ୍ଷରେ ଭୋଟ୍ ଟାଣିବାକୁ ସରକାର ନିଜର ଉଦ୍ୟମ ଜାରି ରଖିଛନ୍ତି । ଏପରିକି ଓଟିଇଟି ପାସ୍ କରି ନ ଥିବା ଗଣ ଶିକ୍ଷକଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇ ୭ ହଜାରରୁ ୧୦ ହଜାର କରାଯାଇଛି । ସେହିପରି ଓଟିଇଟି ପାସ୍ କରିଥିବା ଶିକ୍ଷକଙ୍କୁ ନିୟମିତ କରାଯାଇଛି । ତେବେ ଦେଖିବା ବାକି ରହିଲା ଆଗାମୀ କିଛି ଦିନରେ ରାଜ୍ୟ ସରକାର ଆଉ କେଉଁ ବର୍ଗଙ୍କୁ ଖୁସି କରୁଛନ୍ତି।