ଭୁବନେଶ୍ୱର: ସିଟ୍ ଭାଗବଂଟା ପାଇଁ ଦିଲ୍ଳୀରେ ଏବେ ରାଜ୍ୟ ବିଜେପି ଓ ବିଜେଡିର ନେତା ଡେରା ପକାଇଛନ୍ତି । କାହା ଭାଗରେ କେତେ ଲୋକସଭା ଓ କେତେ ବିଧାନସଭା ସିଟ୍ ପଡିବ ସେ ନେଇ ମାନସ ମନ୍ଥନ ଚାଲିଛି । ଗତକାଲି ନବୀନଙ୍କ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଦୁଇ ନେତା ଫାଇଭ ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇଛନ୍ତି । ଶୁକ୍ରବାର ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏଠି ଉଭୟ ଦଳର ନେତା ଓ କର୍ମୀ ଅନ୍ଧାରରେ ରହିଛନ୍ତି ।
ବିଜେପି ଓ ବିଜେଡିର ନେତା ଓ କର୍ମୀ ସହଜରେ ମେଂଟକୁ ହଜମ କରି ପାରୁ ନାହାନ୍ତି । କିିନ୍ତୁ କଣ କରିବେ ବାଧ୍ୟ ହୋଇ ନିରବ ରହି ସମର୍ଥନ ଜଣାଉଛନ୍ତି । କେହି ଜାଣି ପାରୁ ନାହାନ୍ତି ଯେ, ମେଂଟର ଆଧାର କଣ ହେବ । ବିଜେଡି କେତେ ଲୋକସଭା ଆସନରେ ଲଢିବ ଏବଂ ବିଜେପି ଭାଗରେ କେତେ ସିଟ୍ ପଡିବ ? ସେହିପରି କାହା ଭାଗକୁ କେତେ ବିଧାନସଭା ସିଟ୍ ଆସିବ ତାକୁ ନେଇ ଏବେ ଦିଲ୍ଲୀରେ ମାନସ ମନ୍ଥନ ଚାଲିଛି । ସେପଟେ ନେତାଙ୍କ ଛାତି ଧଡ ଧଡ । ବିଶେଷ କରି ଦଳଡିଆଁ ନେତା ଏବେ କିଂ କର୍ତବ୍ୟ ମୁଢ ହୋଇ ରହିଛନ୍ତି ।
ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଦଳର ସଂଗଠନ ସଂପାଦକ ମାନସ ମହାନ୍ତି ଓ କେର କମିଟି ଦିଲ୍ଲୀରେ ଅଛନ୍ତି । କାରଣ କେଉଁ ମୁହୂର୍ତରେ ବିଜେପି ମୁଖ୍ୟାଳୟରୁ ଡାକରା ଆସିପାରେ । ଜେପି ନଡ୍ଡା, ଅମିତ୍ ଶାହ, ରାଜ୍ୟ ବିଜେପି ନେତା ଓ ବିଜେଡରି ଦୁଇ ନେତାଙ୍କ ଉପସ୍ଥିତିରେ ଆଜି ରାତି ସୁଦ୍ଧା ବୈଠକ ହେବ ଏବଂ ସିଟ୍ ସମୀକରଣ ଚୂଡାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦୁଇ ଦଳର ହାଇକମାଣ୍ଡଙ୍କ ମେଂଟ ନେଇ ସ୍ପଷ୍ଟ ସଙ୍କେତ ପରଠୁ ନେତାଙ୍କ ଅକଲ ଗୁଡୁମ ହୋଇ ଯାଇଛି । ଦୁଇ ଦଳର ନେତା ଓ କର୍ମୀଙ୍କ ମହଲରେ ନିରାଶର ମାହୋଲ ଛାଇ ଯାଇଛି । କାରଣ ଉଭୟ ଦଳର କର୍ମୀ ଆରପାର ଲଢେଇ ପାଇଁ ପ୍ରସ୍ତୁତି ହୋଇ ରହିଥିଲେ । ଏବେ କେମିତି ପରସ୍ପର ସହ ହାତ ମିଳାଇବେ ତାହା ସେମାନଙ୍କୁ ବହୁତ ବାଧୁଛି । ମାତ୍ର ଦଳର ହାଇକମାଣ୍ଡଙ୍କ ନିଷ୍ପତି ଆଗରେ ସମସ୍ତେ ଅସହାୟ ହୋଇ ପଡିଛନ୍ତି । ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଦୁଇ ଦଳର ନେତା ମେଂଟ ନେଇ ସଙ୍କେତ ଦେଇଥିଲେ ।
ଏବେ ମେଂଟର ଫର୍ମୁଲା ନେଇ ଅଙ୍କକଷା ଚାଲିଛି । ବିଜେଡି ନିଜ ପାଖରେ ୭ ଲୋକସଭା ଆସନ ରଖି ୧୪ ସିଟ୍ ବିଜେପିକୁ ଦେବାକୁ ଚାହୁଁଛି । ଠିକ୍ ସେହିପରି ବିଧାନସଭାର ୧୦୨ ଆସନ ନିଜ ପାଇଁ ଏବଂ ଅବଶିଷ୍ଟ ୪୫ ଆସନ ବିଜେପିକୁ ଦେବାକୁ ଚାହୁଁଛି ବିଜେଡି । କିନ୍ତୁ ଏହା ସ୍ପଷ୍ଟ ଯେ, ମେଂଟର ପୁରୁଣା ସୂତ୍ର ହିସାବରେ ଆସନ ଭାଗବଂଟା ହେବ ନାହିଁ । ପ୍ରତି ଲୋକସଭାରେ ବିଜେପି ୨ କିମ୍ବା ୩ ବିଧାନସଭା ଚାହୁଁଛି ।
୧୯୯୮ରୁ ଆରମ୍ଭ ହୋଇଥିବା ମେଣ୍ଟ ୧୧ ବର୍ଷ ଧରି ଚାଲିଥିଲା। ୨୦୦୦ ଓ ୨୦୦୪ ମସିହାରେ ଏକାଠି ହୋଇ ନିର୍ବାଚନ ଲଢିଥିଲେ ଏବଂ ଦୁଇ ଥର ମିଳିତ ସରକାର କରିଥିଲେ ଦୁଇ ଦଳ। ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍ ବାଣ୍ଟି ନେଇଥିଲେ। ବିଜେଡିକୁ ୮୪ ବିଧାନସଭା ଓ ୧୨ ଲୋକସଭା ସିଟ୍ ଛାଡ଼ିଥିଲା ବିଜେପି। ଆଉ ବିଜେପିକୁ ୬୩ ବିଧାନସଭା ଓ ୯ ଲୋକସଭା ସିଟ୍ ଛାଡ଼ିଥିଲା ବିଜେଡି। କିନ୍ତୁ ୨୦୨୪ ନିର୍ବାଚନରେ ସମୀକରଣରେ ବହୁତ ପରିବର୍ତନ ଦେଖିବାକୁ ମିଳିବ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୪-୩ ହାରରେ ନିର୍ବାଚନ ଲଢୁଥିଲେ ଦୁଇ ଦଳ । ହେଲେ ଏଥର ଅଧିକ ଲୋକସଭା ସିଟ୍ ବିଜେପି ଭାଗରେ ପଡୁଥିବା ବେଳେ ବିଧାନସଭାର ସିଂହ ଭାଗ ବିଜେଡି ହାତକୁ ଯାଇପାରେ ।