ଏସବିଆଇକୁ ସୁପ୍ରିମକୋର୍ଟରୁ ଲାଗିଲା ଶକ୍ତ ଝଟକା, କାଲି ସୁଦ୍ଧା ଇଲେକ୍ଟୋରାଲ ବଣ୍ଡର ସମସ୍ତ ସୂଚନା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ


ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ବାଚନୀ ବଣ୍ଡ ମାମଲାରେ ସୁପ୍ରିମକୋର୍ଟରୁ ଶକ୍ତ ଝଟକା ଲାଗିଛି । ବଣ୍ଡ ସଂପର୍କିତ ସୂଚନା ଦେବାକୁ ସମୟ ଅବଧି ବଢାଇବା ଏସବିଆଇର ଯାଚିକାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖଣ୍ଡନ କରିଛନ୍ତି । ଏହା ସହିତ ମାର୍ଚ୍ଚ ୧୨ ତାରିଖ ଅର୍ଥାତ ଆସନ୍ତାକାଲି ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖନୀୟ ସୁପ୍ରିମକୋର୍ଟ ଫେବୃଆରୀରେ ଇଲେକ୍ଟୋରାଲ ବଣ୍ଡ ସ୍କିମ ଉପରେ ରୋକ୍ ଲଗାଇଥିଲେ ।

ଏସବିଆଇ ସୁପ୍ରିମକୋର୍ଟରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଦିଆଯାଇଥିବା ଇଲେକ୍ଟୋରାଲ ବଣ୍ଡ ସଂପର୍କିତ ସମସ୍ତ ସୂଚନା ଦେବା ପାଇଁ ସମୟ ସୀମା ଜୁନ ୩୦କୁ ବୃଦ୍ଧି କରିବାକୁ ଆବେଦନ କରିଥିଲା । ସୁପ୍ରିମକୋର୍ଟ ଆବେଦନ ଖାରଜ କରିବା ସହ କାଲି ସୁଦ୍ଧା ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠକୁ ଏସବିଆଇକୁ କହିଛି ଯେ, ନଗଦ ସଂପର୍କିତ ସୂଚନା ଅଲଗା ରଖାଯାଇଛି । ଉଭୟକୁ ମିଳାଇବା କଠିନ କାମ ଅଟେ । ୨୨ ହଜାରରୁ ଅଧିକ ନିର୍ବାଚନୀ ବଣ୍ଡ ୨୦୧୯ରୁ ୨୦୨୪ ମଧ୍ୟରେ କିଣା ଯାଇଥିଲା । ଦୁଇ ସେଟ୍ ତଥ୍ୟ ଥିବାରୁ ମୋଟ୍ ବଣ୍ଡ ୪୪ ହଜାରରୁ ଅଧିକ ରହିଛି । ଏସବୁ ମିଳାଇବା ପାଇଁ ଅଧିକ ସମୟ ଲାଗିବ ।

ଏହା ଉପରେ ସୁପ୍ରିମକୋର୍ଟ ଏସବିଆଇକୁ ତାଗିଦ୍ କରି କହିଛନ୍ତି, ଗତ ୨୬ ଦିନ ଆପଣ କଣ ପଦକ୍ଷେପ ନେଇଛନ୍ତି ? ଆପଣଙ୍କ ଆବେଦନରେ ଏହା ଉପରେ କିଛି ଉଲ୍ଲେଖ କରାଯାଇ ନାହିଁ । ବିଚାରପତି ଖନ୍ନା କହିଛନ୍ତି, ସମସ୍ତ ସୂଚନା ଜଉମୁଦ ଲଫାପାରେ ରହିଛି ଏବଂ ଆପଣଙ୍କୁ କେବଳ ଲିଫାପା ଖୋଲି ସୂଚନା ଦେବାର ଅଛି । ଏହା ବ୍ୟତୀତ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ସୂଚନା ପ୍ରକାଶିତ କରିବାକୁ ଆଦେଶ ଦେଇଛନ୍ତି ।