Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନିିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ବଡ ଘୋଷଣା, ସରପଂଚ ମାସକୁ ପାଇବେ ୧୦ ହଜାର

ନିର୍ବାଚନ ପୂର୍ବରୁ ବଡ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ରାଜ୍ୟ ସରକାର । ପଂଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତା ବୃଦ୍ଧି କରାଯାଇଛି । ପଂଚାୟତଠୁ ନେଇ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସଭିଙ୍କ ଦରମା ବହୁ ଗୁଣ ବୃଦ୍ଧି କରିଛନ୍ତି । ଏଥିରେ ନାଏବ ସରପଂଚ, ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସମସ୍ତେ ଉପକୃତ ହେବେ । ଏଥିପାଇଁ ଖର୍ଚ୍ଚ ହେବ ଅଧିକ ୧୬୨.୬୮ କୋଟି ଟଙ୍କା । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଏବେ ସରପଂଚ ମାସକୁ ପାଇବେ ୧୦ ହଜାର ଟଙ୍କା ପାଇବେ ।

ନିର୍ବାଚନ ତାରିଖ ପୂର୍ବରୁ ରାଜ୍ୟ ସରକାର ପଂଚାୟତିରାଜ ପ୍ରତିନିଧିମାନଙ୍କୁ ବଡ ଖୁସି ଖବର ଦେଇଛନ୍ତି । ଜିଲ୍ଲା ପରିଷଦ ସଦସ୍ୟ, ପଂଚାୟତ ସମିତି ସଭ୍ୟ, ସରପଂଚଙ୍କ ଭତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଜିଲ୍ଲା ପରିଷଦ ସଭାପତି ୯,୩୮୦ ଟଙ୍କା ପରିବର୍ତେ ଏବେ ମାସିକ ପାଇବେ ୩୦ ହଜାର ଟଙ୍କା । ସେହିପରି ଜିଲ୍ଲା ପରିଷଦ ଉପସଭାପତି ୭୪୦ ଟଙ୍କା ବଦଳରେ ମାସିକ ପାଇବେ ୨୦ ହଜାର ଟଙ୍କା । ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ ହଜାର ଟଙ୍କା । ଏମାନେ ପୂର୍ବରୁ ୩୫୩୦ ଟଙ୍କା ପାଉଥିଲେ ।

ସେହିପରି ପଂଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଟଙ୍କା । ପୂର୍ବରୁ ୩୫୩୦ ଟଙ୍କା ପାରିତୋଷିକ ପାଉଥିଲେ । ପଂଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ୨୩୫୦ ଟଙ୍କା ପରିବର୍ତେ ପାଇବେ ୭୫୦୦ ଟଙ୍କା । ସରପଂଚ ଏବେ ମାସକୁ ୧୦ ହଜାର ଟଙ୍କା ପାଇବେ । ଆଗରୁ ମାସକୁ ୨୩୫୦ ଟଙ୍କା ପାଉଥିଲେ । ନାଏବ ସରପଂଚ ୯୪୦ ଟଙ୍କା ପାଉଥିଲେ ଏବଂ ପାଇବେ ୪ ହଜାର ଟଙ୍କା । ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଦୈନିକ ଭତା ୪୮୦ ଟଙ୍କାକୁ ବୃଦ୍ଧି ଘଟିଛି ।

ଏହା ପୂର୍ବରୁ ଆଜି ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଥିଲେ । ଏହା ପୂର୍ବରୁ ବର୍ଷକୁ ମହିଳା କର୍ମଚାରୀଙ୍କୁ ୧୫ ଦିନର ସାମୟିକ ଛୁଟି ମିଳୁଥିଲା । ଏହାକୁ ଆଉ ୧୦ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ସାମୟିକ ଛୁଟି ଉପଭୋଗ କରି ପାରିବେ ।