ନୂଆଦିଲ୍ଲୀ: ‘ଏକ ଦେଶ ଏକ ନିର୍ବାଚନ ‘କୁ ନେଇ ଗଠିତ କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଟି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ସଦସ୍ୟ ଭାବେ ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ସାମିଲ । ୧୮ ହଜାର ୬୨୬ ପୃଷ୍ଠାର ଏହି ରିପୋର୍ଟକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ସାତ ମଙ୍କସର ସମୟ ଲାଗିଛି ।
ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖନ ତର୍ଜମା କରିବା ପରେ କମିଟି ଏହି ନିଷ୍କର୍ସରେ ପହଂଚିଛନ୍ତି ଯେ, ଭାରତ ସ୍ୱାଧୀନ ହେବାର ପ୍ରଥମ ଦୁଇ ଦଶନ୍ଧି ପରେ ଏକ ସଙ୍ଗେ ନିର୍ବାଚନ ନ ହେବା କାରଣରୁ ଦେଶର ଅର୍ଥବ୍ୟବସ୍ଥା, ରାଜନୀତି ଓ ସମାଜ ଉପରେ ହାନୀକାରକ ପ୍ରଭାବ ପଡିଛି । ଆରମ୍ଭରୁ ପ୍ରତ୍ୟେକ ୧୦ ବର୍ଷରେ ଦୁଇ ଥର ନିର୍ବାଚନ ହେଉଥିଲା । ଏବେ ପ୍ରତି ବର୍ଷ ଅନେକ ନିର୍ବାଚନ ହେବାରେ ଲାଗିଛି । ଏଥିରେ ସରକାର, ବ୍ୟବସାୟ, ଶ୍ରମିକ, ନ୍ୟାୟାଳୟ, ରାଜନୈତିକ ଦଳ, ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ନାଗରିକଙ୍କ ଉପରେ ଏହାର ବହୁବ ବଡ ବୋଝ ପଡୁଛି । ଏଥିପାଇଁ କମିଟି ଏକ ସଙ୍ଗେ ନିର୍ବାଚନ କରାଇବା ପାଇଁ ସୁପାରିସ କରୁଛି ।
କମିଟିର ସୁପାରିସ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗେ କରାଯାଉ । ଦ୍ୱିତୀୟ ପର୍ଯ୍ୟାୟରେ ମ୍ୟୁନିସିପାଲିଟି ଓ ପଂଚାୟତସ୍ତରୀୟ ନିର୍ବାଚନକୁ ଏକ ସଙ୍ଗେ କରାଯାଉ । କମିଟି ଏହା ମଧ୍ୟ କହିଛନ୍ତି ଯେ, ଲୋକସଭା, ବିଧାନସଭା, ମ୍ୟୁନିସିପାଲଟି ଓ ପଂଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର କାର୍ଡ ତାଲିକା ଓ ପରିଚୟ ପତ୍ରର ବ୍ୟବସ୍ଥା କରାଯାଉ । ଏଥିପାଇଁ ଅନୁଚ୍ଛେଦ ୩୨୫କୁ ସଂଶୋଧିତ କରାଯିବାର ଆବଶ୍ୟକତା ରହିଛି । କମିଟିର ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଭାରତୀୟ ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପରାମର୍ଶରେ ମତଦାତା ସୂଚି ଓ ଫଟୋ ପରିଚୟ ପ୍ରସ୍ତୁତ କରିବେ ।
କମିଟି କହିଛି ବହୁ ବିଚାର ବିମର୍ଶ ପରେ ଆମେ ଏହି ନିଷ୍କର୍ସରେ ପହଂଚିଛୁ ଯେ, ଆମର ସୁପାରିସ ପାରଦର୍ଶୀ, ସମାବେଶୀ, ସହଜତା ଓ ମତଦାତାଙ୍କ ବିଶ୍ୱାସକୁ ଆହୁରି ବଢାଇବ । ଏକ ସଙ୍ଗେ ନିର୍ବାଚନକୁ ବିପୁଳ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି । ବିକାଶ ପ୍ରକ୍ରିୟା ଓ ସାମାଜିକ ଏକଜୁଟତାକୁ ମଧ୍ୟ ବଳ ମିଳିବ । ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଦୁଆକୁ ଆହୁରି ମଜବୁତ ହେବ । ଭାରତର ଆକାଂକ୍ଷା ବି ସାକାର ହେବ ବୋଲି ରାମନାଥ କୋବିନ୍ଦଙ୍କ କମିଟି କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ, ୧୫ତମ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନକେ ସିଂ ଓ ପୂର୍ବତନ ଲୋକସଭା ମହାସଚିବ ସୁଭାଷ କଶ୍ୟପ ସାମିଲ ।