ମାର୍ଚ୍ଚରେ ଶ୍ରାବଣ ପରି ବର୍ଷା, ଟୁଇନ ସିଟି ସମେତ ବିଭିନ୍ନ ସ୍ଥାନରେ ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ


ଭୁବନେଶ୍ୱର: ପାଗରେ ଦେଖିବାକୁ ମିଳିଛି ଅସ୍ୱଭାବିକ ପରିବର୍ତନ । ମାର୍ଚ୍ଚ ମାସରେ ଶ୍ରାବଣ ପରି ଝରି ବର୍ଷା । କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୯ଟି ଜିଲ୍ଲାରେ ଗତକାଲିଠୁ ବର୍ଷା ଜାରି ରହିଛି । ବିଜୁଳି ଘଡଘଡି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆଉ କେତେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏହା ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ।

ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଖୋର୍ଦ୍ଧା, ନୟାଗଡ, ପୁରୀ, ଜଗତିସଂପୁର, କଟକ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଗତରାତିଠୁ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପକ୍ଷରୁ ଆଜି ୯ଟି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ସାମିଲ ।

ଅନ୍ୟପଟେ ଆଜି କେନ୍ଦ୍ରାପଡା, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, ପୁରୀରେ ଗୋଟିଏରୁ ଦୁଇଟି ସ୍ଥାନରେ ୭୦ରୁ ୧୦୦ ମିଲିମିଟର ଯାଏ ବର୍ଷା ହୋଇପାରେ । ଗତକାଲିଠୁ କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ବର୍ଷା ଲାଗି ରହିଥିବାରୁ ଟୁଇନ ସିଟିର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସତେ ଯେମିତି ଲାଗୁଛି ଶ୍ରାବଣ ମାସ ଚାଲିଛି ।