ଇଡିରେ ହାଜର ହେବାରେ ଅସୁବିଧା କଣ, କେଜରିୱାଲ କହିଲେ- ଗିରଫଦାରୀର ଭୟ ରହିଛି


ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଜାରି ୯ ସମନ ବିରୋଧରେ ହାଇକୋର୍ଟ ପହଂଚିଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦେନ ଉପରେ ବୁଧବାର ଶୁଣାଣି ହୋଇଛି । ହେଲେ କୋର୍ଟ ତାଙ୍କୁ କୌଣସି ଆଶ୍ୱସ୍ତି ନ ଦେଇ ଶୁଣାଣିକୁ ଗୋଟିଏ ମାସ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । ଏବେ ଦେଖିବା ବାକି ରହିଲା ଗୁରୁବାର କେଜରିୱାଲ ଇଡି ସାମ୍ନାରେ ହାଜର ହେଉଛନ୍ତି କି ନାହିଁ । ଇଡି ତାଙ୍କୁ ନବମ ସମନ ପଠାଇ ମାର୍ଚ୍ଚ ୨୧ରେ ହାଜର ହେବାକୁ କହିଛି ।

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକଙ୍କ ଯାଚିକା ଉପରେ ଜଷ୍ଟିସ ସୁରେଶ କୁମାର କୈତ ଓ ଜଷ୍ଟିସ ମନୋଜ ଜୈନଙ୍କ ପୀଠରେ ଶୁଣାଣି ହୋଇଛି । ପୀଠ କେଜରିୱାଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ୯ଟି ସମନ ଜାରି ହେବା ପରେ ବି ଆପଣ କାହିଁକି ଇଡିରେ ହାଜର ହୋଇ ନାହାନ୍ତି । ହାଜର ହେବାରେ ଆପଣଙ୍କ ସମସ୍ୟା କଣ ? ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି ଗିରଫଦାରୀ ଆଶଙ୍କା ଜାହିର କରି କହିଛନ୍ତି, ତାଙ୍କ ମହକିଲ ଏଜେନ୍ସି ସାମ୍ନାରେ ହାଜର ହେବାକୁ ପ୍ରସ୍ତୁତ, କିନ୍ତୁ ସର୍ତ ଏହା ତାଙ୍କୁ ଗିରଫ ନ କରିବାକୁ ଭରସା ଦିଆଯାଉ ।

ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଯାଚିକା ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟଠୁ ଜବାବ ମାଗିଛନ୍ତି । ଇଡି କହିଛିୁ ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ ଏବଂ ଏହାକୁ ନେଇ ଜବାବ ଦାଖଲ କରାଯିବ । ଏହି ମାମଲାର ପରବର୍ତୀ ଶୁଣାଣି ୨୦୨୪ ଏପ୍ରିଲ ୨୨ ତାରିଖରେ ଧାର୍ଯ୍ୟ କରିଛନ୍ତି କୋର୍ଟ। କୋର୍ଟ ଇଡି ସମନ ଉପରେ ନା ରୋକ୍ ଲଗାଇଛନ୍ତି ନା କେଜରିୱାଲଙ୍କୁ ନେଇ କୌଣସି ଆଦେଶ ଜାରି କରିଛନ୍ତି ।