ନିର୍ବାଚନ ଆୟୋଗଙ୍କ ତାଗିଦ ପରେ ବଦଳିଲେ ଦେବଗଡ ଓ କଟକ ଗ୍ରାମାଂଚଳ ଜିଲ୍ଲା ଏସପି


ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଦୁଇ ଜଣ ପୋଲିସ ଏସପିଙ୍କୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଆଜି ଦେବଗଡ ଓ କଟକ ଗ୍ରାମାଚଂଳର ଏସପି ଭାବେ ଦୁଇ ଜଣ ଆଇପିଏସ ଅଫିସର ଯୋଗ ଦେଇଛନ୍ତି । ଦୁଇ ଦିନ ତଳେ ଏହି ଦୁଇ ଜିଲ୍ଲାର ଏସପିଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ବାଚନ ଆୟୋଗ ରାଜ୍ୟ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ଗୃହ ବିଭାଗ ଓ ପୋଲିସ ମୁଖ୍ୟାଳୟ ଜାରି ନିର୍ଦ୍ଦେଶନାମାନ ଅନୁସାରେ ଦେବଗଡ ଜିଲ୍ଲା ଏସପି ବରିଷ୍ଠ ଓପିଏସ ରାମ ପ୍ରସାଦ ସାହୁ ଓ କଟକ ଗ୍ରାମାଂଚଳ ପୋଲିସ ଏସପି ବରିଷ୍ଠ ଓପିଏସ ମିହିର କୁମାର ପଣ୍ଡାଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଦେବଗଡର ଏସପି ଭାବେ ୨୦୧୩ ବ୍ୟାଚର ଆଇପିଏସ ଅନୁପମ ଜେନ୍ସ ଓ କଟକ ଗ୍ରାମାଂଚଳ ପୋଲିସ ଏସପି ଭାବେ ୨୦୧୩ ବ୍ୟାଚର ଆଇପିଏସ ଲୋଗାନାୟାଗି ଦିବ୍ୟାଙ୍କୁ ଶନିବାର ସକାଳ ୧୦ଟା ସୁଦ୍ଧା ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶାନାମା ଗତକାଲି ଜାରି ହୋଇଥିଲା ।