ନୂଆଦିଲ୍ଲୀ: ଜେଲ୍ ଗଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏବେ ତାଙ୍କୁ ୧୫ ଦିନ ଜେଲରେ ରହିବାକୁ ପଡିବ । ରାଉଜ ଏଭେନ୍ୟୁ କୋର୍ଟ ତାଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି । ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆପର ରାଷ୍ଟ୍ରୀୟ ସଂଯୋଜକଙ୍କୁ ଆଜି ଅଦାଲତରେ ହାଜର କରାଯାଇଥିଲା । କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ମାର୍ଚ୍ଚ ୨୧ରେ କେଜରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ଗିରଫ କରିଥିଲା ।
ଆଜି ଇଡି ସ୍ୱତନ୍ତ୍ର ଜଜ କାବେରୀ ବାବେଜାଙ୍କ ଅଦାଲତରେ କେଜରିୱାଲଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦେବାକୁ ଅପିଲ୍ କରିଥିଲା । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି ବୃଦ୍ଧି ଦାବି କରି ନ ଥିଲା କେନ୍ଦ୍ରୀୟ ଏଜେନ୍ସି । ଇଡି କୋର୍ଟରେ କହିଛି ଯେ, କେଜରିୱାଲ ତଦନ୍ତରେ ସହଯୋଗ କରୁ ନାହାନ୍ତି । ସେ ନିଜର ମୋବାଇଲ ପାସୱାର୍ଡ ଦେଉ ନାହାନ୍ତି । ତାଙ୍କୁ କେବଳ ଦସ୍ତାବିଜରେ ଦସ୍ତଖତ କରାଯାଇଛି । ସେ ଜାଣିଶୁଣି ତଦନ୍ତକୁ ଦିଗହରା କରିବାକୁ ଚାହୁଁଛନ୍ତି ଏବଂ ବୁଲେଇ ବଙ୍କେଇ ଉତର ଦେଉଛନ୍ତି । କେଜରିୱାଲଙ୍କୁ ବର୍ତମାନ ବିଚାର ବିଭାଗୀୟ ହାଜତରେ ରଖାଯାଉ ଏବଂ ଆବଶ୍ୟକ ପଡିଲେ ରିମାଣ୍ଡରେ ନିଆଯିବ ।
ସୂଚନାଯୋଗ୍ୟ, କେଜରିୱାଲଙ୍କୁ ଇଡି ପାଖାପାଖି ୧୦ ଦିନ ହାଜତରେ ରଖିଥିଲା । ତାଙ୍କୁ ପ୍ରତିଦିନ ପାଖାପାଖି ୫ ଘଂଟା ଜେରା କରାଯାଉଥିଲା । ଏହି ହିସାବରେ ସେ ୫୦ରୁ ଅଧିକ ଘଂଟା ଇଡି ଦ୍ୱାରା ଜେରା ହୋଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଶହେରୁ ଅଧିକ ପ୍ରଶ୍ନ ପଚାରି ସାରିଛି । ହେଲେ କେଜରିୱାଲ ତଦନ୍ତରେ ସହଯୋଗ କରୁ ନ ଥିବା ଇଡି କହିଛି ।