ଯୁବକଙ୍କୁ ବାଇକରେ ଧକ୍କାଦେବା ସହ ମରଣାନ୍ତକ ଆକ୍ରମଣ


ଝାରସୁଗୁଡା ୩/୪ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମଚିଦା ଗ୍ରାମର ସୁରେନ୍ଦ୍ର ସାହୁ ମଙ୍ଗଳବାର ସନ୍ଧ୍ୟାରେ ଭିକମପାଲି ସାପ୍ତାହିକ ବଜାରରୁ ପନିପରିବା ବିକ୍ରି କରି ଘରକୁ ଫେରୁଥିଲେ । ଠିକ ଏହି ସମୟରେ ଦେଓପାଲି ଓ ଲିମଡିହି ଗାଁ ମଝି ରାସ୍ତାରେ ସେହି ଗାଁର ମିତ୍ରଭାନୁ ସେଟ ଏକ ସୁପର ଏକ୍ସେଲ ମୋଟର ସାଇକେଲରେ ଆସି ହଠାତ ସୁରେନ୍ଦ୍ରକୁ ପ୍ରଥମେ ଧକ୍କା ମାରିଥିଲେ ଏବଂ ସେ ତଳେ ପଡିଯିବାରୁ ସୁରେନ୍ଦ୍ରକୁ ଏକ ଠେଙ୍ଗାରେ ବହୁତ ମାଡ଼ ମାରିଥିଲେ । ଯାହା ଫଳରେ ସୁରେନ୍ଦ୍ରଙ୍କ ବାମ ହାତ ଭାଙ୍ଗି ଯାଇଛି । ରେଙ୍ଗାଲି ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଲଖନପୁର ହସ୍ପିଟାଲ ଓ ପରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଲୟକୁ ନିଆ ଯାଇଥିବା ଜଣା ପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।