ସୁବଳୟା ଅଞ୍ଚଳରେ ବିଷାକ୍ତ ଦେଶୀ ମଦ ବିକ୍ରି


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅଞ୍ଚଳରେ ଖୁଲମଖୁଲା ଭାବେ ଚାଲିଛି ବେଆଇନ ଦେଶୀ ମଦ କାରବାର I ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମଦ ମାଫିଆମାନେ ମଦ ପ୍ରସ୍ତୁତି କରିବା ସହ ମଦକୁ ଅଧିକ ନିଶାଯୁକ୍ତ କରିବା ପାଇଁ ପୋଚରେ ମହୁଲ ସହ ନିର୍ଗୁଣ୍ଡି ଗଛର ଛାଲି , ଅମରି ପତ୍ର , ସାହାଜ ପତ୍ର , ୟୁରିଆ ସାର ଓ ସବୁଠାରୁ ବିପଜ୍ଜନକ ଗାଡ଼ି ପଙ୍କଚର ପାଇଁ ବ୍ୟବହୃତ ସାଲ୍ୟୁସନ , ଭଲିଅନ ଟେନ ଟାବଲେଟ ଆଦି ବିଷାକ୍ତ ଜିନିଷ ପକାଇ ମଦ ପ୍ରସ୍ତୁତି କରୁଥିବା ଜଣେ ମଦ ଚୋରାଚାଲାଣ କରୁଥିବା ଜୈନିକ ବ୍ୟକ୍ତି ନାମ ପ୍ରକାଶ ନ କରି ଗୁପ୍ତ ଭାବରେ ପ୍ରକାଶ କରିଛନ୍ତି। ଉକ୍ତ ମଦ ବେପାରୀ ବିଭିନ୍ନ ଗାଁ’ ର ଥିବା କୁଚିଆ ବିକ୍ରେତା ମଦ ବେପାରୀ ମାନଙ୍କୁ ଘରକୁ ଘର ବୁଲି ହୋମ ଡେଲିଭରି ଭାବେ କମ୍ ମୂଲ୍ୟରେ ଯୋଗାଇ ଦେଉଥିବା ଉକ୍ତ ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ଅତି ନିକଟରେ , ସହଜ ଓ ଶସ୍ତା ରେ ଅଧିକ ନିଶା ଲାଗୁଥିବା ମଦ ମିଳୁଥିବାରୁ ଅଞ୍ଚଳରେ ମଦୁଆଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ତେବେ ଏଭଳି ବିଷାକ୍ତ ସାମଗ୍ରୀ ଶରୀର ରେ ପ୍ରବେଶ କରେ କ’ଣ ହେଉଥିବ ତାହା ସହଜେ ଅନୁମେୟ । କିନ୍ତୁ ନିଶା ପାଇଁ ପାଗଳ ସାଜିଥିବା ଲୋକେ ଏ ସବୁକୁ ଆଖି ବୁଜି ଦେଇଥିବା ଜଣାପଡିଛି । ଅପମିଶ୍ରିତ ମଦପିଇ ସୁବଳୟା ଅଞ୍ଚଳର ବିଭିନ୍ନ ଗ୍ରାମର ଅନେକ ଲୋକ ରୋଗଗ୍ରସ୍ତ ହେଲେଣି । ବ୍ଲକ ର ପିତାମହୁଲ, ଟେଭାପଦର , ଖଣ୍ଡହତା , ସଂଗ୍ରାମପୁର , ଟିକରାପଡା , ମେଟାକାନୀ ଛକ, କୁଶାଦାଦର , ତେନ୍ତୁଲିମହଦା , ଡୁଲେଶ୍ଵର , ଚୁପକାଦାଦାର , ସାହଜଲଥା ଆଦି ସ୍ଥାନ ମାନଙ୍କରେ ଏହି ବିଷାକ୍ତ ମଦ ବିକ୍ରି ହେଉଥିବା ଜଣାଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ ସ୍ଥାନରେ ବିକ୍ରି ହେଉଥିବା ଅପମିଶ୍ରିତ ମଦ ବନ୍ଦ କରିବା ପାଇଁ ଦାବି ହେଉଛି।