ଟିକେଟ୍ ଫେରାଇ ନେବା ପରେ କଂଗ୍ରେସ ଛାଡିଲେ ମୋହନ, ଖର୍ଚ୍ଚ ବାବଦ ଟଙ୍କା ନ ଫେରାଇଲେ କୋର୍ଟ ଯିବାକୁ ଦେଲେ ଧମକ


ଭୁବନେଶ୍ୱର: ଟିକେଟ୍ କଟିବା ପରେ ମୋହନ ହେମ୍ବ୍ରମ ଓ ତାଙ୍କ ପତ୍ନୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଉପରେ ବର୍ଷିବା ସହ ଦଳର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ କେନ୍ଦୁଝର ଲୋକସଭା ସିଟରୁ ପ୍ରାର୍ଥୀ କରିଥିଲା । କିନ୍ତୁ ଏପ୍ରିଲ ୨୦ରେ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣାରେ କଂଗ୍ରେସ ମୋହନ ହେମ୍ବ୍ରମଙ୍କ ଟିକେଟ୍ କାଟିଛି ।

ହେମ୍ବ୍ରମ କହିଛନ୍ତି ଏଆଇସିସି ଆମକୁ ଖୁବ୍ ଲଜ୍ଜିତ କରୁଛି । ଟିକେଟ୍ ଦେଇ ପୁଣି ଦଳ ଟିକେଟ୍ କାଟୁଛି । ଯଦି ମୋର ଯୋଗ୍ୟତା ନ ଥିଲା ତେବେ କାହିଁକି ଟିକେଟ୍ ଦେଲେ । ଏମିତି କରି ଦଳ ଆମ ସହ ଖେଳୁଛି । ୪୮ ଘଣ୍ଟା ଭିତରେ ୫୦ ହଜାର ସହ ଖର୍ଚ୍ଚ ବାଦରେ ୭ ଲକ୍ଷ ଟଙ୍କା ନ ଦେଲେ କୋର୍ଟ ଯିବି । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ମୋହନଙ୍କୁ କେନ୍ଦୁଝର ସିଟରୁ ପ୍ରାର୍ଥୀ କରାଯାଇଥିଲା । ସେ ନିଜର ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଥିଲେ । ତେବେ ପରବର୍ତ୍ତୀ ପ୍ରାର୍ଥୀ ତାଲିକା ପ୍ରକାଶ ବେଳେ ମୋହନଙ୍କ ଟିକେଟ୍ କଟାଯାଇ ତାଙ୍କ ସ୍ଥାନରେ ବିନୋଦ ନାୟକଙ୍କୁ କେନ୍ଦୁଝର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରାଯାଇଛି । ଦଳର ଏମିତି ଏତାଦୃଶ୍ୟ ମୋହନଙ୍କୁ ବହୁତ ବାଧିଛି । ଶେଷରେ କଂଗ୍ରେସରୁ ଇସ୍ତଫା ଦେବା ସହ ନିଜର ଖର୍ଚ୍ଚ ବାବଦେ ୭ ଲକ୍ଷ ୫୦ ହଜାର ଟଙ୍କା ନ ଫେରାଇଲେ କୋର୍ଟ ଯିବି ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏମିତି ଘଟଣା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀଙ୍କ ସହ ମଧ୍ୟ ହୋଇଥିଲା । କଂଗ୍ରେସ ପ୍ରଥମେ ତାଙ୍କୁ ସୁନ୍ଦରଗଡ ତଳସରାରୁ ପ୍ରାର୍ଥୀ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଟିକେଟ୍ କାଟି ଦେଇଥିଲା । ଫଳସ୍ୱରୂପ ପ୍ରବୋଧ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।