Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଉପକୂଳ ପ୍ରତାରଣା ସ୍ୱତନ୍ତ୍ର ରାଜ୍ୟର ଇନ୍ଧନ !

ସମ୍ବଲପୁର:ପଶ୍ଚିମାଞ୍ଚଳ ପ୍ରତି ଚାଲିଛି କ୍ରମାଗତ ପ୍ରତାରଣ ଓ ଅବହେଳା।ଉପକୂଳିଆ ପ୍ରଭାବରେ ପଶ୍ଚିମାଞ୍ଚଳର ନ୍ୟାର୍ଯ୍ୟ ଅଧିକାର ଓ ଦାବି ଗୁଡିକ କୋଣଠେସା ପରି କ୍ରମାଗତ ଓ ଅଭ୍ୟାସଗତ ଭାବେ ପରିଚାଳିତ ହେଉଥିବାରୁ ଏଥିରେ ଉଦବେଗ ପ୍ରକାଶ ପାଇ କଡା ଜବାବ୍ ସାମ୍ନାକୁ ଆସିଛି।

ବିଜେଡ଼ି ଦ୍ବାରା ଆହୁତ ନାଗରିକ ବିଚାର ବିମର୍ଶ ସଭାରେ ସମ୍ବଲପୁର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯବା ସମୟରେ ଏଭଳି ରୋକଠୋକ୍ କିଛି ସ୍ୱାଭିମାନର ଶାଣୀତ ସ୍ୱର ଉଜ୍ଜିବିତ ହୋଇଛି।ଜନ ସମାଜରେ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ଓ ଆଗ ଧାଡିର ବୁଦ୍ଧିଜୀବୀ ମାନେହିଁ ଏଭଳି ଉଦବେଗ ପ୍ରକାଶ କରିବା ଚର୍ଚାର ପ୍ରସଙ୍ଗ ହୋଇଛି।

ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଆଲୋଚନାର ମଞ୍ଜି ବୁଣି ଏ ଅଂଚଳ ପ୍ରତି ଉପକୂଳର କେତେକ ନେତା ଶାସକ ପ୍ରଶାସକ ଯେଉଁଭଳି ଅପରାଧିକ ପଲିସି ଓ ପ୍ରତାରଣା କରିଚାଲିଛନ୍ତି ତାହା ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନକୁ ଇନ୍ଧନ ପରି କାମ କରୁଛି ସତର୍କ ଚେତାବନୀ ଶୁଣାଇଛନ୍ତି। ସେ କହିଲେ ଆମେ ଆଜିଯାଏଁ ଏହା ସହ୍ୟ କରି ଆସିଛୁ ମାତ୍ର ଅଲଗା ରାଜ୍ୟ ଆନ୍ଦୋଳନକୁ ଆଉ ଅଟକାଇବା ଦୁରୂହ ହୋଇ ପଡ଼ିବ।ଦଶନ୍ଧି ଦଶନ୍ଧି ଧରି ଏ ଅଂଚଳକୁ ନିସ୍ପେଷିତ କରି ରଖାଯିବା ଫଳରେ ବିଶେଷ କରି ଯୁବକମାନଙ୍କ ମନରେ ବିଦ୍ରୋହ ବହ୍ନି ଜଳୁଛି। ଶିକ୍ଷା,ସ୍ବାସ୍ଥ୍ୟ,ସଂସ୍କୃତି,ସମସ୍ତ କ୍ଷେତ୍ରରେ ଏ ଅଂଚଳ ପ୍ରତାରିତ ହୋଇ ଆସିଛି।

କୋଭିଡ୍ ର ଶୀର୍ଷ ସମୟରେ ଓଡ଼ିଶାର ଅନ୍ୟ ଜିଲ୍ଲାରୁ କଟକ,ଭୂବନେଶ୍ବର,ଖୋର୍ଦ୍ଧା ଜିଲ୍ଲାକୁ ରୋଗୀଙ୍କୁ ନ ଆଣିବା ଉଦ୍ଦେଶ୍ଯରେ କଟକଣା ଜାରି କରିବା ଠାରୁ ଆରମ୍ଭ କରି ପୂର୍ବରୁ ହେଉଥିବା ଜିଲ୍ଲା ଭିତ୍ତିକ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ନିଯୁକ୍ତିକୁ ଗୋଟିଏ କଲମ ଗାରରେ ଭୂବନେଶ୍ବରଠାରେ କେନ୍ଦ୍ରିତ କରି ‘ଓଏସ୍‌ଏସ୍‌ଏସ୍‌ସି’ ଓ ‘ଓଏସ୍‌ଏସ୍‌ସି’ ଜରିଆରେ କରିବା ବ୍ୟବସ୍ଥା କରି, ଏ ଅଂଚଳର ଯୁବକମାନଙ୍କ ଭାଗ୍ୟ ଅସ୍ତ କରିଦେବା ପର୍ଯ୍ୟନ୍ତ, ସମସ୍ତ ଆଂଚଳିକ ମନୋଭାବସୃତ ପଦକ୍ଷେପ ନିଆଯାଇଛି। ପ୍ରତିକ୍ରିୟାର ପରିଣାମସ୍ବରୂପ ପରିସ୍ଥିତି ଆହୁରି ଭୟାଭୟ ହେଲେ ଜନ ପ୍ରତିନିଧିମାନେ ହିଁ ଦାୟୀ ରହିବେ। ବୌଦ୍ଧିକ ବିଚାର ରଖୁଥିବା ବରିଷ୍ଠ ନାଗରିକ ସମୁହ ମନ ଭିତରେ ବସା ବାନ୍ଧିଥିବା କ୍ଷୋଭ ଉଦଗାରିବା ବିଚାର ବିମର୍ଶକୁ ସ୍ତବ୍ଧ କରିଦେଇଥିଲା।

ବିଶ୍ବରେ ବର୍ତ୍ତମାନ ନୂତନ ପ୍ରଯୁକ୍ତିର ଯୁଗ ଆରମ୍ଭ ହୋଇଯାଇଥିବା ବେଳେ ପଶ୍ଚିମାଞ୍ଚଳର ଶିକ୍ଷାନୁଷ୍ଠାନମାନଙ୍କରେ ଏ ସମ୍ବନ୍ଧିତ କୌଣସି ପାଠ୍ୟକ୍ରମ ନାହିଁ।ଯାହା ଆଂଚଳିକ ବୈଷମ୍ୟର ସଦ୍ୟତମ ନମୂନା। ଏହି ନାଗରିକ ସଭାରେ ଉପସ୍ଥିତ ଉଭୟ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ଇଂ. ରୋହିତ ପୂଝାରୀଙ୍କୁ ପ୍ରଫେସର ପାଢ଼ୀ ଏହିଭଳି ସତର୍କବାଣୀ ଶୁଣାଇଥିବା ବେଳେ ଡା.ଦିଲ୍ଲୀପ କୁମାର ପଣ୍ଡାଙ୍କ ଭଳି ଆନେକ ବୁଦ୍ଧିଜୀବୀ ଜେଉଁ ପ୍ରଶ୍ନବାଣ କରିଥିଲେ ତାହାର ଉତ୍ତର ପ୍ରଣବ ରଖିଥିଲେ ।ତେବେ ପ୍ରାର୍ଥୀ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ହୋଇଥିବା ବିଚାର ବିମର୍ଶ ବର୍ତ୍ତମାନ ତଳ ସ୍ତରକୁ ପହଞ୍ଚୁଥିବାରୁ ଏହି ଇନ୍ଧନ ନିର୍ବାଚନରେ କିଭଳି ପ୍ରଭାବ ପକାଉଛି ଦେଖିବାକୁ ବାକି ରହିଲା।