ଖେଳ ଶିକ୍ଷକ ନିତ୍ୟାନନ୍ଦ ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


ଝାରସୁଗୁଡା ୩୦/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ନିତ୍ୟାନନ୍ଦ ନାଏକଙ୍କୁ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ସୁରେଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଦିପ୍ତୀମୟୀ ସିଦାର ମଞ୍ଚ ସଞ୍ଚାଳନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଭିକମପାଲି ୟୁପି ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁଃଖୀଶ୍ୟାମ ପଟ୍ଟନାୟକ , ଜାମଗାଁ ୟୁପି ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୌଲସ୍ତ୍ୟ ମେହେର ମୁଖ୍ୟବକ୍ତା ଏବଂ ଏମ କଟାପାଲି ୟୁପି ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଠାକୁର ରାମ ସାହୁ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ଅବସରପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀ ନାଏକ ଜଣେ ଛାତ୍ରବତ୍ସଳ, ବରିଷ୍ଠ ଖେଳ ଶିକ୍ଷକ ଭାବରେ ଅଞ୍ଚଳରେ ତାଙ୍କର କର୍ତ୍ତବ୍ୟ ବୋଧ ଅନନ୍ୟ ବୋଲି ମତ ପ୍ରକାଶ କରିବା ସହ ତାଙ୍କର ଅବଶିଷ୍ଟ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ନିମନ୍ତ୍ରୀତ ଅତିଥି ମାନେ ଶୁଭ କାମନା ଜଣାଇ ଥିଲେ ଏବଂ ତାଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ କରି ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇ ଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀ ନାଏକ ତାଙ୍କର ଚାକିରୀ କାଳର ଅନୁଭୂତି ବର୍ଣ୍ଣନା କରିଥିଲେ । ଆଗାମୀ ଦିନରେ ସେ ସେବା ମନୋବୃତ୍ତିକୁ ପାଥେୟ କରି ଅବଶିଷ୍ଟ ସମୟ ଟିକକ ଅତିବାହିତ କରିବେ ବୋଲି କହିଥିଲେ । ଏହା ବ୍ୟତୀତ ଶ୍ରୀ ନାଏକ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପାଣ୍ଠିକୁ ୫୦ ହଜାର ଟଙ୍କା ଚେକ ଆକାରରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଅନୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜି ସନ୍ଧ୍ୟାରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଭିକମପାଲି ହାଇସ୍କୁଲରୁ ଏକ ଶୋଭାଯାତ୍ରାରେ ବାହାରି ଖେଳ ଶିକ୍ଷକ ଶ୍ରୀ ନାଏକଙ୍କ ଏମ କଟାପାଲି ସ୍ଥିତ ବାସଭବନ ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ନେଇଥିଲେ । ଆଜିର କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ନବୀନ ସା,ଵିଷ୍ଣୁ ପ୍ରସାଦ ପଧାନ, ସୁଶୀଲ ମେହେର,କୀର୍ତ୍ତି ସିଦାର,ଅନୁପମା ସାହୁ, ମାଧବୀଲତା ଖମାରୀ, ବୃନ୍ଦାବନ ସୁନା,ଏକଲବ୍ୟ ମେହେରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।